Unknown

ନିଷଧରାଜ

ଶ୍ରୀମତୀ ବନଲତା ଦେଈ

 

ମୁଖବନ୍ଧ

ଓଡ଼ିଶାରେ ନାରୀକବିଙ୍କ ସଂଖ୍ୟା ମୁଷ୍ଟିମେୟ । ପ୍ରାଚୀନମାନଙ୍କ ମଧ୍ୟରୁ ଆମ୍ଭେମାନେ ମାଧବୀ ଦେବୀ, ବୃନ୍ଦାବତୀ ଦାସୀ ଓ ରାଣୀ ନିଶଙ୍କ ରାୟଙ୍କ କୃତିମାନଙ୍କ ସହ ପରିଚିତ ଓ ସେମାନଙ୍କ ପ୍ରତିଭା ଆଗରେ ନତମସ୍ତକ । ଆଧୁନିକ ଯୁଗରେ ଶ୍ରୀମତୀ କୁନ୍ତଳାକୁମାରୀ, ଅନ୍ନପୂର୍ଣ୍ଣା, ଅପର୍ଣ୍ଣା ଓ ଦେବହୂତି ଏହି କେତେକ ନାରୀ-କବିଙ୍କ ଆବିର୍ଭାବରେ ସମଗ୍ର ଓଡ଼ିଆ ଜାତି ଗୌରବାନ୍ୱିତ ଓ ନାରୀ-ପ୍ରତିଭାର ଜାଜ୍ଜ୍ୱଲ୍ୟମାନମୂର୍ତ୍ତି ବିଗ୍ରହରୂପେ ଏମାନେ ଉତ୍କଳ ସାରସ୍ୱତ-ଭବନରେ ସଗୌରବରେ ବିଦ୍ୟମାନ । ଏମାନଙ୍କ ଛଡ଼ା ଆଉକେତେ ଯେ ନାରୀ-ପ୍ରତିଭା ଉପଯୁକ୍ତ ସୁବିଧା ଅଭାବରେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ବିଲୟ ପ୍ରାପ୍ତ ହେଉଅଛି ତାହା କିଏ କହିବ ? କିନ୍ତୁ ଆମ୍ଭମାନଙ୍କ ପକ୍ଷରେ ପରମ ଆନନ୍ଦର ବିଷୟ ଓ ସମଗ୍ର ଦେଶର ଭାଗ୍ୟ, ଆଜି ଆମ୍ଭେମାନେ ଏହି ନିଷଧରାଜ କାବ୍ୟର କବି କରଣ ଘରର କୋଣଆବଦ୍ଧା ସୀମନ୍ତିନୀ ଶ୍ରୀମତୀ ବନଳତା ଦେଈଙ୍କୁ ଉତ୍କଳ ସାରସ୍ୱତ ମହାମନ୍ଦିରରେ ଅର୍ଘ୍ୟସ୍ଥାଳୀହସ୍ତା ପୂଜାରୁଣୀରୂପେ ଦେଖିବାକୁ ପାଇଅଛୁଁ । ତାଙ୍କର ଜ୍ୟେଷ୍ଠପୁତ୍ର ଆମ୍ଭର ଶ୍ରଦ୍ଧେୟ ବନ୍ଧୁ ଶ୍ରୀଯୁକ୍ତ ମହେନ୍ଦ୍ରକୁମାର ଦାସ ଏହି ମୁଖବନ୍ଧରେ ନିଷଧରାଜ କାବ୍ୟର କବିତାକୁ ଦୁଇଚାରି ପଦ କଥାରେ ଦେଶ ଆଗେ ପରିଚିତ କରାଇଦେବାକୁ ଆମ୍ଭଙ୍କୁ ଅନୁରୋଧ କରିଅଛନ୍ତି, ଏବଂ ଏହି ସ୍ଫୁଟୋନ୍ମୁଖ ନାରୀ-ପ୍ରତିଭାକୁ ପରିଚିତ କରିଦେବାର ଅବକାଶ ପାଇ ଆମ୍ଭେ ଆଜି ଅପାର ଆନନ୍ଦ ଉପଭୋଗ କରୁଅଛୁଁ ।

 

ନିଷଧରାଜ ମୌଳିକ କାବ୍ୟ ନୁହେଁ; କବିବର କାଳିଦାସଙ୍କ ନଳୋଦୟ ନାମକ କାବ୍ୟର ଛାୟାବଲମ୍ୱନରେ ଲିଖିତ । କିନ୍ତୁ ଅନୁବାଦ ଓ ଅବଲମ୍ୱନ-ଲିଖିତ ଲେଖାରେ ଭାଷାର ଯେଉଁ ସ୍ୱାଭାବିକ ମନ୍ଥରତା ଦୃଷ୍ଟ ହୁଏ ନିଷଧରାଜକାବ୍ୟ ତହିଁରୁ ମୁକ୍ତ । ଅମନ୍ଦଗାମିନୀ ଝରଣା ପରି ଏହାର ଭାଷାର ଗତି । ଅବଲମ୍ୱନ-ଲିଖିତ ଗ୍ରନ୍ଥ ବୋଲି ଜାଣି ନଥିଲେ ଏପରି କେହି ନାହିଁ, ଯେ କହିପାରିବ କବି ୟାକୁ ପରମୁଖାପେକ୍ଷୀ ହୋଇ ଲେଖିଅଛନ୍ତି । ଏକଥା ଆମ୍ଭେ ନକହି କବିଙ୍କ କୃତିର ନିମ୍ନ ଉଦ୍ଧୃତାଂଶମାନ କହିଲେ ଭଲ ହେବ ।

 

‘‘ପୁଷ୍ପ ବାଟିକାରେ            ଦଇବେ ଏକାନ୍ତେ

ବୁଲୁ ବୁଲୁ ରାଜଜେମା

ମରାଳ ଭାଷଣ            ଅସମ୍ଭବ କଥା

ଶ୍ରବଣେ ହେଲା ଉନ୍ମନା ।

ହୃଦ-ମରୁ-ଭୂମେ            ମହିଳା-ମଣିର

ଜାତ ଶତ ବନସ୍ରୋତ

ପ୍ରେମେ ଛଳ ଛଳ            ନୟନ ଯୁଗଳ

ତନୁ ହେଲା ରୋମାଞ୍ଚିତ ।

ଧୈର୍ଯ୍ୟ-ବର୍ମ ନାରୀ-      ରତନର ଖରେ

ଭେଦକରି ଫୁଲଶର

ସାତ୍ଵିକ ଭାବକୁ            ଉପୁଜାଇ ଦେଲା

ମଦାଳସୀ ହୃଦପର ।

କଦମ୍ୱ କୁସୁମ            ସମ କରିଦେଲା

ତ୍ୱରା ରୋମ କଦମ୍ୱକୁ

ଅଲକ୍ଷ୍ୟେ ନାଗରୀ            ହରାଇ ବସିଲା

ବିବେକ ସହ ଦମ୍ଭକୁ

ଶୁକ୍ଳପକ୍ଷ ଶଶୀ            ତୁଲ୍ୟ ମୁଖ-ଶଶୀ

ଚାହିଁ ଚାହୁଁ ହେଲା ମ୍ଳାନ

କେତେ କେତେ ଭାବ      ଖେଳେ ବାଳା ହୃଦେ

କେ ଲକ୍ଷିପାରେ ସେମାନ ।’’

                                                ପୃ ୮ । ୯

 

ଅଳପ ଅପାଙ୍ଗେ            ଅନାଇ ରାଜନେ

ସ୍ୱଗତେ ଭାଳେ ସୁନ୍ଦରୀ

କେତେକାଳ ବସି             ବିରଞ୍ଚି ବିରଚି

ଅଛି ଏ ରୂପ ମାଧୁରୀ

ଉପମା ହେବାକୁ            ଉପମେୟ କିଛି

ମୋ ଚକ୍ଷୁକୁ ଦିଶୁନାହିଁ

ଧନ୍ୟ ସେ ଜନନୀ            ଏ ରତ୍ନକୁ ଯେହୁ

ପ୍ରସବିଲେ ମର୍ତ୍ତ୍ୟଭୂଇଁ

ତହୁଁ ବଳି କୋଟି             ଗୁଣେ ଭାଗ୍ୟବତୀ

ଭବେ ସେ ବରବର୍ଣ୍ଣିନୀ

କେତେ ତପ କରି            ନ ଥିବଟି ପୂର୍ବେ

ଏ ଯୁବା-ମନ-ମୋହିନୀ !

ଯୁବତୀ-ଧଇର୍ଯ୍ୟ             ଅବଶ୍ୟ ଟଳିବ

ଏ ରମ୍ୟ ମୂର୍ତ୍ତି ଦର୍ଶନେ

ପବି ତେଜେ ଯଥା            ଦ୍ରବି ଯାଏ ହବି

ମୁହୂର୍ତ୍ତ ମାତ୍ରକେ କେଣେ ।’’

ପୃ ୧୮ ।୧୯

 

ଏହିପରି ସରଳ ତରଳ ଗତି ବିଶିଷ୍ଟ ଭାଷାରେ ସମଗ୍ର କାବ୍ୟର ଅବୟବଟି ସୁଗଠିତ ଓ କବିଙ୍କ ପ୍ରଥମ ଲେଖା ଦୃଷ୍ଟିରେ ଏହା ତାଙ୍କ ପକ୍ଷେ କମ ଶ୍ଳାଘାର ବିଷୟ ନୁହେଁ ।

 

କବିଙ୍କର ଭାବନିବିଷ୍ଟତା ନଥିଲେ ଭାଷା ଉପରେ ଲକ୍ଷେ ଅଧିକାର ଥିଲେ ସୁଦ୍ଧା କାବ୍ୟରେ ଚମତ୍କାରୀ କମନୀୟଭାବ ଫୁଟି ଉଠିବା ଅସମ୍ଭବ । ଦମୟନ୍ତୀ-ଭାବରେ କବି କିପରି ନିବିଷ୍ଟ ହୋଇ ପଡ଼ିଅଛନ୍ତି ତାହା ତଳଲିଖିତ ପଂକ୍ତିମାନଙ୍କରୁ ପରିଷ୍ଫୁଟ ହେବ ।

 

‘‘ଧ୍ରୁବ ମୋ ଭାବନା            ଅଟନ୍ତି ଏ ନଳ

ରାଜେନ୍ଦ୍ର-କୁଳ-ମଉଳି

ମନର ମନ ମୋ            ସାଧନାର ଧନ

ଏ ପାପନେତ୍ର-ପିତୁଳି ।

ଧମନୀର ରକ୍ତ,            ଏହି ମୋ ଆଶାର

ଆଶା, ପିଣ୍ଡ ଏ ଛାୟାର

ମୋ ହୃଦୟ-ବନ-            ବିହାରୀ-କୁରଙ୍ଗ

ଏ ଦୁର୍ଲ୍ଲଭ କୃଷ୍ଣସାର ।

ସୁଚାରୁ କୁସୁମ            ମୋ ଆଶାଲତାର,

ଚିନ୍ତା ରତ୍ନାକର ଧନ

ତୃଷାର୍ତ୍ତୀ ଚାତକୀ            ଏ ଦୀନା ସେବକୀ

(ସେ) ଚାତକିନୀ-ପ୍ରାଣ ଘନ ।’’

ପୃ ୧୯ । ୨୦

 

ଏହିପରି ଭାବନିବିଷ୍ଟତାର ନାନାଉଦାହରଣ କାବ୍ୟଯାକରୁ ଉଦ୍ଧାର କରାଯାଇପାରେ । ଆମ୍ଭମାନଙ୍କର ଆଶା ସେ ସବୁ ପାଠକପାଠିକାଙ୍କ ଦୃଷ୍ଟି ଏଡ଼ି ଯିବନାହିଁ ।

 

ଓଡ଼ିଆ ସାହିତ୍ୟରେ ସୋନପୁରରାଜ ବୀର ମିତ୍ରୋଦୟ ଦେବଙ୍କ କୃତ ନୈଷଧ କାବ୍ୟର ଅନୁବାଦ ଅଛି । ପ୍ରାଚୀ ସମିତିଙ୍କ କୃତ ପ୍ରକାଶିତ ନଳ ଚରିତ ନାମକ ନାନାଛନ୍ଦ ବିଶିଷ୍ଟ ପୁସ୍ତକରେ ମଧ୍ୟ ନଳ ଚରିତ ବର୍ଣ୍ଣିତ ହୋଇଅଛି । ପ୍ରଥମୋକ୍ତ ପୁସ୍ତକ କଠିନ ଓ ଦ୍ୱିତୀୟୋକ୍ତ ପୁସ୍ତକ ଅତୀବ ସରଳ ସର୍ବଜନବୋଧ୍ୟ ଭାଷାରେ ଲିଖିତ । ଏହି ଦୁଇଗ୍ରନ୍ଥ ଭିତରେ ମଧ୍ୟବର୍ତ୍ତୀ ସ୍ଥାନ ଅଧିକାର କରି ନିଷଧରାଜ କାବ୍ୟ ରହିବ; କାରଣ ଏହାର ଭାଷା ଅତି କଠିନ ବା ଅତି ସରଳ ନୁହେଁ । ନିଷଧରାଜର ଭାଷା ସଂସ୍କୃତ-ମୂଳକ, ରାଧାନାଥ-ଯୁଗର ପ୍ରଭାବ ଏହା ଏଡ଼ି ପାରିନାହିଁ । ତେବେ ଏଡ଼େ ସୁନ୍ଦରଭାବେ ସଂସ୍କୃତମୂଳକ ଓଡ଼ିଆରେ କବି ଯେପରି କୃତିତ୍ଵ ସହ ଭାବରାଜି ଫୁଟାଇ ଅଛନ୍ତି ତହିଁରୁ ସେ ଯେ କିପରି ବିଦୂଷୀ ହୋଇଥିବେ ତାହା ସହଜେ ଅନୁମେୟ । ଓଡ଼ିଶାର ଉଚ୍ଚ-ଶିକ୍ଷା-ପ୍ରାପ୍ତ ପୁରୁଷ କବିମାନେ ତଳଲିଖିତ ପଂକ୍ତିଗୁଡ଼ିକଠାରୁ ଆଉରି ଉତ୍କୃଷ୍ଟ କ’ଣ ଲେଖିପାରନ୍ତେ ?

 

‘‘ପୂର୍ବାକାଶ ତେଜି            ପଶ୍ଚିମ ଗଗନେ

ବିରାଜିବେ ଯଦି ଭାନୁ

କମଳ ତେଜିଣ            କମଳ ଆଶ୍ରିବ

ଯଦି ମରୁ କିମ୍ୱା ସାନୁ ।

ଟଳିବ ମନ୍ଦର            ବୃହଭାନୁ ଭାନୁ

ଯଦି ହିମେ ପରିଣତ

ହେବ ତଥାପି ଏ            ବଚନ ମୋହର

ନୋହିବ କଦା ଅନୃତ ।’’

ପୃ ୨୧ । ୨୨

ଓଡ଼ିଆ ସାହିତ୍ୟରେ ଯେଉଁସବୁ ଭାବ ନଥିଲା, ଏପରି କେତେକ ଭାବ କବି କାବ୍ୟରେ ଠାବେ ଠାବେ ପ୍ରକାଶ କରି ମାତୃଭାଷାକୁ ଅଧିକ ୠଦ୍ଧିମତୀ କରିଅଛନ୍ତି । ତଳେ ‘ଲୋତକ’କୁ କ’ଣ କରି କବି ବର୍ଣ୍ଣନା କରିଅଛନ୍ତି ତାହା ଅବଧାନର ଯୋଗ୍ୟ ।

 

‘‘ମନ୍ତ୍ରର ପ୍ରଭାବେ            କ୍ଷୀଣପ୍ରଭ ଯଥା

ହୁଏ ବିଷଧର ବିଷ

ତେସନ ଅଶ୍ରୁ            ଧାରା ସଙ୍ଗେ ଶୋକ-

ବେଗ ହେଉଥାଇ ନାଶ ।

ଆସେ ପରା ଅଶ୍ରୁ            ନେବାପାଇଁ ଦୁଃଖ

ନାମ ତାର ଦୁଃଖହର

ନାମ ଅନୁରୂପେ            କରଇ ବେଭାର

ନାଶିଣ ଯାତନା ଘୋର ।

ସମ୍ପଦେ ସୁହୃଦ             ସରବେ, ବିପଦେ

ପ୍ରକୃତ ଜଣେ ବିରଳ

ଅଦ୍ୱିତୀୟ ବନ୍ଧୁ            ସମ୍ପଦେ ବିପଦେ

ଏକମାତ୍ର ଅଶ୍ରୁଜଳ ।

ରୋଗରେ ଶୋକରେ      ସମ୍ପଦେ ବିପଦେ

ଆସି ସେହୁ ବଳେ ବଳେ

ଦିଅଇ ସାନ୍ତ୍ୱନା            ମହା ହିତୈଷୀ ସେ

ମାନବର ଧରାତଳେ

ସମସ୍ତେ ଖାତକ            କାହାର ଜଗତେ

ତା ୠଣ ନୋହେ ସାମାନ୍ୟ

ସତ ଜନ୍ମ ଚେଷ୍ଟା            କଲେ ନ ପାରିବ

କରି ତାର ପ୍ରତିଦାନ ।’’

ପୃ ୭୧

 

ଏ କାବ୍ୟ କବିବର କାଳିଦାସଙ୍କ ସୁବିଦିତ କାବ୍ୟର ଅବଲମ୍ୱନରେ ଲିଖିତ ହୋଇଥିବାରୁ ଆମ୍ଭେ କାବ୍ୟର ମାପକାଠି ପକାଇ ଏହାର ଉତ୍କର୍ଷ ଅପକର୍ଷ ଇତ୍ୟାଦି ନିରୂପଣ କରିବାରୁ କ୍ଷାନ୍ତ ରହିଲୁଁ ।

 

ଏହି ବହୁଗୁଣବିଶିଷ୍ଟ ନିଷଧରାଜ କାବ୍ୟରେ ‘ସରବଦା’ ‘ଅଦ୍ୱିତୀୟ’ ପ୍ରଭୃତି ଗଦ୍ୟୋପଯୋଗୀ ପଦ ରହିଯାଇଥିବାରୁ ଯାହାକିଛି ରଚନା ଦୋଷ ଘଟିଅଛି । ଏମାନଙ୍କ ସ୍ଥାନରେ ‘ନିରନ୍ତର’ ‘ଅନୁପମ’ ଇତ୍ୟାଦି ପଦ କବିତାଉପଯୋଗୀ ହୋଇଥାନ୍ତା ।

 

ମାନନୀୟା ନାରୀକବିଙ୍କୁ ଆମ୍ଭର ଅନୁରୋଧ ସେ ପ୍ରାଚୀନ କବି-ବିନ୍ଧାଣୀମାନଙ୍କ କୃତି ସବୁ ଅନୁଶୀଳନ କରନ୍ତୁ । ତାଙ୍କର କବି ପ୍ରତିଭାର ଭୂୟୋବୃଦ୍ଧିରେ ତାହା ଯଥେଷ୍ଟ ସାହାଯ୍ୟ କରିବ ଓ କବିତାମୟୀ ଭାଷା ପ୍ରକୃତରେ କ’ଣ ତାହା ଅକ୍ଳେଶରେ ଅବବୋଧ କରିପାରିବେ । ଗୋଟିଏ ମାତ୍ର ଛାନ୍ଦରେ ଗୋଟାଏ ବଡ଼ କାବ୍ୟ ଲେଖି ଉପଭୋଗ କରିବା ଓଡ଼ିଆ ଜାତିର ପ୍ରକୃତିବିରୁଦ୍ଧ । ରାଧାନାଥ ରାୟ ବଙ୍ଗପ୍ରଭାବରେ ପଡ଼ି ଓଡ଼ିଆ ସାହିତ୍ୟରେ ତାହାର ପ୍ରବର୍ତ୍ତନା କରିଗଲେ । କିନ୍ତୁ ଅତୀତ ପ୍ରତି ଓଡ଼ିଶାରେ ଦିନକୁ ଦିନ ଯେପରି ସମ୍ମାନ ବଢ଼ୁଛି ତହିଁରୁ ବେଶ୍‌ ଦେଖାପଡ଼ୁଅଛି ରାଧାନାଥ ରାୟଙ୍କ ଆଦର୍ଶ ପ୍ରତି କ୍ରମଶଃ ଦେଶର ଶ୍ରଦ୍ଧା କ୍ଷୁର୍ଣ୍ଣ ହୋଇ ଆସିବ । ନାରୀ କବି ମହୋଦୟା ଅନ୍ୟ କାବ୍ୟ ଲେଖିଲାବେଳେ ଏହି ସତର୍କବାଣୀ ମନେ ରଖିବେ ବୋଲି ତାଙ୍କୁ ଅନୁରୋଧ ।

 

ସୌନ୍ଦର୍ଯ୍ୟ ଅବବୋଧ ନିମନ୍ତେ ନାରୀ ଚକ୍ଷୁରେ ଯେଉଁ ସୂକ୍ଷ୍ମଶକ୍ତି ଅଛି ତାହା ପୁରୁଷର ଚକ୍ଷୁରେ ନାହିଁ । ତେଣୁ ନାରୀର କାବ୍ୟକଳା ପୁରୁଷର କାବ୍ୟକଳାଠାରୁ ଯେ ଆଉରି କମନୀୟ ହେବ ଏଥିରେ ସନ୍ଦେହ ନାହିଁ । ଆମ୍ଭେ ଶ୍ରୀମତୀ ବନଲତା ଦେଈ ମହୋଦୟାଙ୍କ ସୌନ୍ଦର୍ଯ୍ୟ ଅବବୋଧର ଯେଉଁ ସ୍ପଷ୍ଟ ସୂଚନା ଏ କାବ୍ୟରୁ ପାଇଅଛୁ’ ତହିଁରୁ ଆମ୍ଭର ଦୃଢ଼ ଆଶା ଜନ୍ମିଅଛି ଯେ ସେ ନିଜର ସୂକ୍ଷ୍ମ ପ୍ରତିଭା-ତନ୍ତ୍ରରେ କମନୀୟ କଳ୍ପନା-ସୂତ୍ର ଲଗାଇ ଖଣ୍ଡକୁ ଖଣ୍ଡ କାବ୍ୟ-ଶାଟୀ ବାହାର କରିବେ ଓ ତଦ୍ଦ୍ୱାରା ଉତ୍କଳ-ଜନନୀଙ୍କ ସାରସ୍ୱତ କଳେବରକୁ ମଣ୍ଡନ କରି ଅକ୍ଷୟ ଅକ୍ଷର-କୀର୍ତ୍ତିର ଅଧିକାରଣୀ ହେବେ ।

 

ମାନନୀୟା ଶ୍ରୀମତୀ ବନଲତାଙ୍କର ପ୍ରତିଭା-ସୁମନ ବନରେ ଫୂଟି ବନରେ ସୌରଭ ନହରାଉ ଏହାହିଁ ଆମ୍ଭର ଐକାନ୍ତିକୀ କାମନା ।

କଟକ

ପ୍ରାଚୀ କର୍ମଭବନ                                                 ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ

ତା ୭-୭-୩୩

 

ନିଷଧରାଜ

Unknown

ପ୍ରଥମ ସର୍ଗ

ପଙ୍କଜ-ବାସିନୀ             ବିପଞ୍ଚି-ବାଦିନୀ

ବାଣି ! ଉତ୍କଳ ଜନନୀ !

ନମେ ପଦେ ତବ,            ଦୟା ବହି ମାତଃ

ଫିଟା କପାଟ କିଳନୀ ।

 

କଳ୍ପନାଗାରରେ,            ରଖିଛି ସମ୍ପାଦି

କବି କଳ୍ପନା-ସମ୍ପଦ

ଯହିଁ, ଦେଖାଅ ସେ      ସୁରମ୍ୟ ବାଟିକା,

ଅମୂଲ୍ୟ ରତନ ହ୍ରଦ ।

 

ନାହିଁ ମୋ ଲାଳସା      ତୋଳିବି ଉଦ୍ୟାନୁ,

(ସଯତ୍ନେ ରୋପିତ ତବ)

ସୁମନ ସୁମନ            ଅର୍ପିବି କେବଳ

ଗ୍ରହ କରେ, କରେ ସ୍ତବ ।

 

ତୋଳିବି ମାତର            ରୂପ ଗନ୍ଧ ହୀନ

ତୁଳସୀର କେତେ ହଳ ।

ଗୁନ୍ଥି ଶତଖିଏ            ବଳା ଭକ୍ତି ଡୋରେ

ବିରଚି ସୁରମ୍ୟ ମାଳ ।

 

ଅର୍ପିବି ଭକତି             କୃତଜ୍ଞତା ରୂପେ

ମା’ ଗୋ’ ତବ ଶ୍ରୀପୟରେ

ଯେଣୁ ଏ ପ୍ରଥମ            ପ୍ରସୂତ ପ୍ରସୂନ

ମୋ କଳ୍ପନା ଲତିକାରେ ।

 

ସଙ୍ଗେ ଘେନି ଚାଲ      ଅଧମ ସୁତାକୁ

ବିଦର୍ଭ ରାଜ୍ୟକୁ ମାତ !

ପିଟାଇ ଦିଅ ମା            ଅଗ୍ରତରେ ମୋର

ଅତୀତର ଇତିବୃତ୍ତ ।

 

କୁଣ୍ଡୀନ କଟକ            ଛଟକ ଯାହାର

ସୁରପୁର ଯିବ ଜିଣି

ଯହିଁ ରାଜପଣ            କରନ୍ତି ନିଶଙ୍କେ

ଶ୍ରୀ ଭୀମସେନ ନୃମଣି ।

 

ସାମନ୍ତ ନୃପତି-            ବୃନ୍ଦରେ ବନ୍ଦିତ

ସରବଦା ସେ ରାଜନ

ଯକ୍ଷ, ପୁରୁହୂତ            ପୁରଠାରୁ ବଳି

ବିଭ୍ରାଜିତ ଯା ଭୁବନ ।

 

ଧନେ ଧନାଧିପ             ହୋଇବେ ପରାସ୍ତ

ଅକ୍ଷୟ ଯା’ ରାଜକୋଷ

ସମ୍ଭବାଇ ଥିଲା             ଯା ରାଜ୍ୟ ମରତେ

ଦ୍ୱିତୀୟ ଦୈବତବାସ ।

 

ସୁଲକ୍ଷଣ ଯୁକ୍ତା            ଦମୟନ୍ତୀ ନାମେ

ଛନ୍ତି ତାଙ୍କର ତନୟା

ହାରିଯିବେ ଯାର            ଶୋଭା ବିଲୋକନେ

ରମ୍ଭା, ଶୀବା, ପଦ୍ମାଳୟା ।

 

ବାଲ୍ୟରୀତି ତେଜି            ଯୌବନ ସୀଖରେ

ଉତ୍ତୀର୍ଣ୍ଣା ସେ ରାଜବଳା ।

ବାରଣ-ବୃଷାର            ଗର୍ବ ଖର୍ବ କରେ

ଉରୁ ଯୁଗ ପ୍ରେମଶୀଳା ।

 

ପୟୋଧର ବେନି            ସ୍ୱୟମ୍ଭୂ ପରାୟ

ଦିଶନ୍ତି ଦେଦୀପ୍ୟମାନ

ଅଘାରିତନୁଜ            ଚୋରା ବାତ ରୂପେ

ଘାରୁଛି ସୁନ୍ଦରୀ ମନ ।

 

ଘନକେଶୀ କଟି             କଣ୍ଠୀ ରବ କଟି

ଜିଣିଅଛି ସୁଷମାରେ

ନାନା କୋଳାହଳ            ଶୁଭେ ଅହରହ

ଜେମା ଚଉଁରି ମଧ୍ୟରେ ।

 

ବନପ୍ରିୟ ସ୍ୱର-            ଠାରୁ ମନୋହର

ସଦା ଶ୍ରୁତି ସୁଖକର

ସଙ୍ଗୀତ-ପ୍ରବୀଣା            ସଦ୍ଗୁଣ-ମଣ୍ଡନା

ବୈଦର୍ଭୀ ଯୁବତୀବର ।

 

ନିଷଧ ରାଜନ            ବୀର ବୀରସେନ

ଅଂଶେ ଶୁଭେ ଉତପନ୍ନ

ବେନି ସହୋଦର            କନିଷ୍ଠ ପୁଷ୍କର

ଜ୍ୟେଷ୍ଠ ନଳ ମହୀମାନ !

 

ସେ କାଳେ ଏ ଦେଶେ             ଶୌର୍ଯ୍ୟ ବୀର୍ଯ୍ୟେ କେହି

ନ ଥିଲେ ବଳ ପରାୟ

ଜିତେନ୍ଦ୍ରିୟ, ଯୋଦ୍ଧା,            ଉଦାର, ବିଦ୍ୱାନ,

ବୁଦ୍ଧିମାନ, ସତ୍ୟପ୍ରିୟ ।

 

ଦିଗ୍ବିଜୟୀ ବୀର            ପ୍ରଭାବେ ସର୍ବଦା

କମ୍ପୁଥିଲା ଦଶଦିଶ

ସହଚରୀ-ମୁଖୁଁ            ନଳ ପରାକ୍ରମ

ଶୁଣୁଥିଲେ ଅହର୍ନିଶ ।

 

ଭୀମଜା, (ନନ୍ଦିନୀ            ଭୀମସେତ ନପ)

ସେବୁଥିଲେ ଶିବା ଶିବେ

ବାହୁତ ବିଭ୍ରାଜ            ନିଷଧରାଜଙ୍କୁ

ବରିବାକୁ ପତି ଭାବେ ।

 

ଆସନ, ଅଶନ,            ରାଜୋଚିତ ଯାହା,

ତେଜି କ୍ରମେ ବିମ୍ୱାଧରୀ

ନଳ ଭାବେ ସଦା            ହେଲେ ନିମଗନା

କି ଦିବା କିବା ଶର୍ବରୀ ।

 

ନୃପ କଥା ଚିନ୍ତା            ଛଡ଼ା ଆନ କିଛି

ନ ଥିଲା ତାଙ୍କର ମନେ

ସାଧନା ଓ ଆଶା             ମିଟିଯିବ ସିନା

ପୀରତି ଦୃଢ଼ ବନ୍ଧନେ ।

 

ଦୂତମୁଖୁଁ ଦିନେ            ବୈଦର୍ଭୀ ବାରତା

ଲଭି ନିଷଧରାଜନ

ଅଙ୍କଲକ୍ଷ୍ମୀ ଆଶେ            ରାଜନିନ୍ଦନୀକୁ

ଝୁରି ହେଲେ ନିଶିଦିନ ।

 

ସୁଯୋଗ ଦେଖିଣ            ମକରକେତନ

ଦୃଢ଼େ ଧରି ପଞ୍ଚଶର *

କୃତିତ୍ଵ ଦର୍ଶାଇ            ପେଶିଲା ଅଲକ୍ଷେ

ଜିତେନ୍ଦ୍ରିୟ ନୃପ ପର ।

 

* ଅରବିନ୍ଦ ମଶୋକଞ୍ଚ ଚୁତଞ୍ଚ ନବ ମଲ୍ଲିକା

ନୀଳୋତ୍ପଳଂ ପଞ୍ଚେତେ କାମଦେବସ୍ୟ ଶାୟକାଃ ॥

 

ସ୍ମର ଶରାଘାତେ            ବପୁ ଜରଜର

ସଦନେ ଅବଶ ପ୍ରାଣ

ଶାନ୍ତି ଲାଭ ଅର୍ଥେ            ଦିନେ ବିଜେ ନୃପ

ସ୍ୟନ୍ଦନେ ପୁଷ୍ପ ଉଦ୍ୟାନ ।

 

ଶତ୍ରୁ-ଦର୍ପହାରୀ            ବିରହ ବ୍ୟଥିତ

ଅନଙ୍ଗ ଜ୍ୱର ପୀଡ଼ିତ

ନାଗେଶ୍ୱର କୁଞ୍ଜେ            ବସିଣ ବିଜନେ

ଭାଳିଲେ ନିଷଧ ନାଥ ।

 

‘‘ବଜ୍ରଧର ବଜ୍ର            ନ ଭେଦେ ଯା ଦେହେ

ଭାଙ୍ଗେ ଚକ୍ରଧର ଚକ୍ର

ଦଣ୍ଡଧର ଦଣ୍ଡ            ହୁଏ ଖଣ୍ଡ ଖଣ୍ଡ

ସ୍ପର୍ଶନେ ଯାହାର ଗାତ୍ର ।

 

ପ୍ରତାପୀ ଲଙ୍କେଶ             ଖଡ୍ଗ ଚନ୍ଦ୍ରହାସ

ପିନାକୀ ଧୃତ ତ୍ରିଶୂଳ

ପାଶଧର ପାଶ            ପରାସ୍ତ ଯା’ ପାଶେ

ହେଠମାଥ ଅବିରଳ ।

 

ଫୁଲଧନୁ ଧନୁ            ଫୁଲେ ଫଲେ ଗଢ଼ା

ହୋଇ ଏଡ଼େ ବଳୀୟାନ

କେଉଁ ପାଦପର             ପ୍ରସୂତ ସେ ପୁଷ୍ପ ?

କାହିଁ ତାର ଜନ୍ମସ୍ଥାନ ? ।

 

ଏତେ ଭାଳି ନୃପ            କେଶର କୁସୁମ

ଚୟନେ ହୁଅନ୍ତେ ରତ

ଦେଖିଲେ ଅଦୂରେ            ସୁରୁଚି ମରାଳ

ବ୍ୟୋମପଥୁଁ ସମାଗତ ।

 

ପୁଲକିତ ମନେ            ରାଜନ ରଭସେ

ଧରନ୍ତେ ମରାଳ ଏକ

ସବିନୟେ ଭାଷେ            ତଦନ୍ତେ ସେ ଦୁଃଖେ

‘‘ହେ ନୃପ କୁଳତିଳକ !

 

ଅବଧାନ ହେଉ            ଛାମୁଁରେ ମୋ ବାଣୀ

ଆରତ ଆରତି ହର

ବିନା ଅପରାଧେ            କୁତୂହଳ ବଶେ

ନ ଦିଅ ଯାତନା ଘୋର ।

 

ଅଚିରେ ମୋହର            ସାହାଯ୍ୟେ ଲଭିବ

ତ୍ରିଦିବଦୁର୍ଲଭ ଧନ

ବିଦର୍ଭାଧୀଶ୍ୱର             ତନୟା ବୈଦର୍ଭୀ

ଯାର ରୂପ ନିଶି ଦିନ ।

 

ଭାଳୁଅଛି ବସି            ନିରାଶା ଜଡ଼ିତ

ସନ୍ତାପିତ କଳେବରେ

ଅକଳଙ୍କ ମୁଖ            ହୋଇଛି ମଳିନ

ଅତନୁ ଶର-ଲୀଳାରେ ।

 

ଦମୟନ୍ତୀ ତୁଲ୍ୟା             ତିନି ଭୁବନରେ

ନାହାନ୍ତି କେହି ଭାବିନୀ

ନ କର ଭାବନା            ସେ ନବନବୀନା

ଯେହ୍ନେ ତବ ପ୍ରଣୟିନୀ ।

 

ହେବ ସେହି କାର୍ଯ୍ୟ            ସାଧିବଇଁ ମୁହିଁ

ସ୍ୱୀୟ ପ୍ରାଣ ବିନିମୟେ

ହୁଅସି ଆଶ୍ୱସ୍ତ            ପ୍ରତିଜ୍ଞା ଏ ମୋର

ତବ ସମୀପରେ ରାୟେ ! ।

 

ଦିଅ ତ୍ୱରା ମୁକ୍ତି            କଣ୍ଠାଗ୍ରତ ପ୍ରାଣ

ତବ କରପୁଟେ ମୋର

ଶରଣ ମୁଁ ପଦେ            ଶରଣବତ୍ସଳ !

ନ ହୁଅ ପୁନଃ ନିଠୁର ।

 

ଚିର ଅଭିସ୍ପିତ            ନାଗରୀ ସଂଦେଶ

ସହ ସ୍ୱୀୟ ଅଭିଳାଷ

ଆନେ ପ୍ରକାଶିତ            ଶ୍ରବଣେ ଭୂମିପ

ବଦନୁ ନ ସ୍ଫୁରେ ଭାଷ ।

 

କ୍ରମେ ଦୃଢ଼ ମୁଷ୍ଟି             ହୋଇଲା ଶିଥିଳ

ହିହ୍ୱଳିତ ନରନାଥ

ମୁକ୍ତି ଲଭି ହେଲେ            ଆଶ୍ରିଲା ମରାଳ

ଖମଣି ମଣ୍ଡଳ ପଥ ।

 

ଭୌମୀ ସନ୍ନିଧାନେ       ପ୍ରବେଶି ନିର୍ଭୟେ

ବକ୍ଷମାଣ ରୂପେ ତୂର୍ଣ୍ଣେ

ଭାଷେ ‘‘ଦେଖ ଦେବୀ,       ଯଦି ସ୍ୱାମୀ ପଦେ

ବରିବୁ ନିଷଧରାଣେ ।

 

ବିଷ୍ଣୁ ମନୋହାରୀ            ପଦ୍ମାଳାୟା ତୁଲ୍ୟା

ବିରାଜିବୁ ନିଃସନ୍ଦେହେ

ସେହି ତୋର ମାତ୍ର      ଦୁର୍ଲ୍ଲଭ ବିଭୂତି

ତାଙ୍କ ପଦେ କର ଲୟେ ।’’

 

ପୁଷ୍ପ ବାଟିକାରେ            ଦଇବେ ଏକାନ୍ତେ

ବୁଲୁ ବୁଲୁ ରାଜଜେମା

ମରାଳ ଭାଷଣ,            ଅସମ୍ଭବ କଥା,

ଶ୍ରବଣେ ହେଲା ଉନ୍ମନା ।

 

ହୃଦ ମରୁଭୂମେ            ମହିକାମଣୀର

ଜାତ ଶତବନ ସ୍ରୋତ

ପ୍ରେମେ ଛଳ ଛଳ            ନୟନ ଯୁଗଳ

ତନୁ ହେଲା ରୋମାଞ୍ଚିତ ।

 

ଧୈର୍ଯ୍ୟ ବର୍ମ ନାରୀ      ରତନର ଖରେ

ଭେଦକରି ଫୁଲଶର

ସାତ୍ତ୍ୱିକ ଭାବକୁ            ଉପୁଜାଇ ଦେଲା

ମଦାଳସୀ ହୃଦ ପର ।

 

କଦମ୍ୱ କୁସୁମ            ସମ କରି ଦେଲା

ତ୍ଵରା ରୋମକଦମ୍ୱକୁ

ଅଲକ୍ଷେ ନାଗରୀ            ହରାଇ ବସିଲା

ବିବେକ ସହ ଦମ୍ଭକୁ ।

 

ଶୁକ୍ଳ ପକ୍ଷ ଶଶୀ-            ତୁଲ୍ୟ ମୁଖଶଶୀ,

ଚାହୁଁ ଚାହୁଁ ହେଲା ମ୍ଳାନ

କେତେ କେତେ ଭାବ       ଖେଳେ ବାଳା ହୃଦେ

କେ ଲକ୍ଷିପାରେ ସେମାନ ?

 

ମରାଳେ ଆଶ୍ୱାସି            କହେ ରାଜବାଳା

‘‘ତୃପ୍ତ ହେଲି ଅନୁଗ୍ରହେ

କହିବ ପ୍ରଭୁଙ୍କୁ            ହୋଇଲି ବିକା ମୁଁ

ସେ ରାଜୀବ ପଦଦ୍ୱୟେ ।’’

 

‘‘ଏଥେଁ ଗୋ ସଜନୀ’’      ପ୍ରବିଶନ୍ତେ କର୍ଣ୍ଣେ

ଚାହିଁଦ୍ୟନ୍ତେ ଭୟେ ପାଶେ

ସମାଗତ କ୍ରୀଡ଼ା            ସହଚରିଗଣ

ସେ ସ୍ଥାନେ ମାନସୋଲ୍ଲାସେ ।

 

କହିଲା କେ ସହି            ‘‘ହଂସ ହସ୍ତେ ସହି !

କେଉଁ ଭାଗ୍ୟଧର ପାଶେ

ପେଶୁଛ ବାରତା’’            ଶ୍ରବଣେ ସୁନ୍ଦରୀ

କହେ କ୍ରୀଡ଼ାଯୁକ୍ତ ହାସେ ।

 

‘‘ତୋ ପରି ଦୂତିକା            ଥାଉଁକି ସମ୍ଭବ-

କ’ରୁ ପେଶିବାକୁ ଆନେ’’

ଏହିମତେ ସର୍ବେ            ହେଲେ ନିୟୋଜିତ

ନାନାରୂପେ ବାକ୍ୟରଣେ ।

 

ବୈଦର୍ଭୀ ବାରତା            ନଳଙ୍କ ଅଗ୍ରତେ

ଦେଇଣ ତହୁଁ ମରାଳ

ନିଜ ବାସ ମୁଖେ            କରିଲା ଗମନ

ପ୍ରତିଜ୍ଞା କରି ସଫଳ

 

ଏସନେ ପ୍ରେମିକ            ପ୍ରେମିକା ପୀରତି

ବଶେ ହୋଇଲେ ଅବଶ

ଇଷ୍ଟଦେବ ଧ୍ୟାୟୀ            ମିଳନ ରଜନୀ

ଭାବୁଥାନ୍ତି ଅହର୍ନିଶ ।

 

ଅନଙ୍ଗ-ବାଣରେ            ରୁଚିର ଶରୀର

କ୍ରମେ ହୋଇଲା ବିଭଙ୍ଗ

ଦିବସ ଶର୍ବରୀ            ଝୁରି ଝୁରି ତନୁ

ହେଲା ସୁତନୁର ଅଙ୍ଗ ।

 

ପ୍ରିୟ ଆଳି ଦଶା             ଦେଖି ଆଳିଗଣ

ପ୍ରବେଶି ରାଜ୍ଞୀ ଛାମୁରେ

ନିବେଦିଲେ ସର୍ବେ            ‘‘ଦିଅ ବିଭାକରି

ତନୟାକୁ ଯୋଗ୍ୟବରେ ।

 

ବିବାହ ଯୋଗ୍ୟା ସେ       ଏ କେଉଁ ଉଚିତ

ରଖ ତାକୁ ଅନ୍ତଃପୁରେ

ନିଜ ସୁଖେ ଯାଇ            କରୁ ସେ ସଂସାର

ଏ ନୋହେ ନୂଆ ସଂସାରେ ।’’

 

ମହିଷୀ ବଦନୁ            ତନୟାର କଥା

ଜାଣି ନୃପ ଅଳଙ୍କାର

ହକାରି ସଚିବେ            ଆଦେଶିଲେ ‘‘କର

ବିଧିପୂର୍ବ ସ୍ୱୟମ୍ୱର ॥

 

ସଭା ମଧ୍ୟୁ ନିଜ             ଇଚ୍ଛା ଅନୁରୂପେ

ବାଛିନେବ କନ୍ୟା ମୋର

ପ୍ରାଣ ପତି ତାର,            ଆସିବେ ତ୍ରିଦିବେ

ମୁନୀ, ୠଷୀ, ନାଗ, ନର ।’’

 

ଭୂମୀଶ ଆଦେଶ            ପାଇ, ଶଚୀବର-

ବିଭୂତି ପାଇଲା ପରି

ସଚିବ, ସଯତ୍ନେ            ଦିଗ ବିଦିଗକୁ

ପେଶିଲେ ଦୂତ ବିଚାରି ।

 

ଆମନ୍ତ୍ରିଲେ ଦେବ            ନର ଯକ୍ଷ ରକ୍ଷ

ନାଗ ତପୀ ବ୍ରହ୍ମଚାରୀ

ରତ ନାଗରିକେ            ନାନା ଆୟୋଜନେ

ଉପେକ୍ଷି ଦିବା ଶର୍ବରୀ ।

 

ପାଇ ଆମନ୍ତ୍ରଣ            ଯେ ଯାହା ସମ୍ଭାରେ

ଆସିଲେ ଭୂମିପକୂଳ

ସରଗ ମରତ            ପାତାଳ ଅଧୀପେ

ସର୍ବେ କ୍ରମେ ହେଲେ ଠୁଳ ।

 

ଦେବ ସେନାପତି            ଶଚୀଦେବୀ ପତୀ

ବଜ୍ରଧର ଦେବଗଣ

ସହ ଆସିଥିଲେ             ସ୍ୱୟମ୍ୱର ସ୍ଥଳେ

ରକ୍ଷାକରି ଆମନ୍ତ୍ରଣ ।

 

ବହ୍ଲଭ ମହୀର            ବୀରସେନ ସୁତ

ବିଜେ ନଳ, ନୈଷଧେଶ

ସ୍ୱୀୟ ପାରିଷଦ            ଗହଣେ ସୁନୀଳ

ନଭେ ଯେହ୍ନେ ହରିଦଶ୍ୱ ।

 

ତାରାପତି ଉଦେ            ହୋନ୍ତେ ଯେହ୍ନେ କ୍ଷୀଣ-

ପ୍ରଭ ନଭେ ତାରା ରାଜି

ନିଷଧ ରାଜନ            ସୌମ୍ୟ ମୂର୍ତ୍ତି ଦେଖି

ଦେବେ ବି ବିସ୍ମୟେ ମଜ୍ଜି ।

 

ପୁରନ୍ଦର ସହ            ବିଜନେ ପ୍ରବେଶି

ମନ୍ତ୍ରଣା କଲେ ବହୁତ

ନଳେ ତ୍ୟଜି ଭୈମୀ            ଆନ ଜଣେ ଏଥୁଁ

ନ ବରିବ କଦାଶ୍ଚିତ ।

 

ବୃଥା ହେବ ଶ୍ରମ            ବୃଥା ହେବ ପୁନଃ

ମର୍ତ୍ତ୍ୟେ ଦେବ ଶୌର୍ଯ୍ୟବୀର୍ଯ୍ୟ

ବୃଥା ସିନା ବହି            ବାର ଦେବ ନାମ

ସର୍ବେ ଦୃଢ଼େ ହୃଦେ ହେଜ ।

 

‘‘କି ବକ୍ତବ୍ୟ ଆର୍ଯ୍ୟ’’       ବାସବେ ପୁଚ୍ଛନ୍ତେ

ଅଧୀରେ ତହୁଁ ଜ୍ୱଳନ

କହେ ବଜ୍ରୀ ‘‘ନିଶ୍ଚେ            ଲଭିବା ବାଳାକୁ

ପଞ୍ଚଜଣୁ ଏକଜଣ ।’’

 

ତହୁଁ ନାନା ଭାବ            ଭାବି ହୃଦେ ଶଚୀ-

ପତି ତେଜିଲେ ଆସ୍ଥାନ

ପ୍ରବେଶିଲେ ଯହିଁ            ଥିଲେ ଉପବିଷ୍ଟ

ସସୈନ୍ୟେ ନିଷଧରାଣ ।

 

କପଟେ ଭାଷିଲେ            ‘‘ଶୁଣ ନରନାଥ

ମୁଁ ଅଟେ ପାକଶାସଚ

ତବ ସନ୍ନିକଟେ            ଗୁରୁ କାର୍ଯ୍ୟ ଘେନି

କରିଅଛି ଆଗମନ ।

 

ହେବ କି ସକ୍ଷମ            ଦେବ କାର୍ଯ୍ୟ ଏକ

ସାଧିବାକୁ ମହାଶୟ ?’’

ସରଳ ହୃଦୟ             ବଳ ତହୁଁ ବ୍ୟଗ୍ରେ

କହିଲେ ‘‘ଏ ନିଃସନ୍ଦେହ ।’’

 

ଅସାଧ୍ୟ ହେଉ ସେ       ସାଧିବି ଆଦେଶ

ବିହ ତ୍ୱରା ବଜ୍ରଧର’’

ତହୁଁ ଶଚୀପତି            ସରାଗେ ଭାଷିଲେ

‘‘ସାଧୁ, ସାଧୁ, ବୀରବର ।

 

ନ କରି ଦ୍ୱିରୁକ୍ତି            ଦେବଙ୍କର ଦୌତ୍ୟ

କରି ନୃପ ସୀଉକାର

ବିଦର୍ଭାନ୍ତ ପୁରେ            ଯାଅ ରଭସରେ

ସଂଶୟ କରିଣ ଦୂର ।

 

ଭାଷ ଚନ୍ଦ୍ରାନନୀ            ଭୀମ ନନ୍ଦିନୀରେ

ତାର ପ୍ରେମେ କରି ଲୟ

ମର୍ତ୍ତ୍ୟେ ସମାଗତ            ଦେବବୃନ୍ଦ ତେଜି

ରୁଚିର ବିବୁଧାଳୟ ।

 

ମନୋମତ ବର             ବାଛି ନେଉ ଏଥଁ

ନାଗରୀ ମୁକୁଟ ହୀରା

(ଧନ୍ୟ ସେ କାମିନୀ       ଯାର ପ୍ରୀତି ଆଶେ

ଦେବଗଣ ଆତ୍ମହରା)

 

ଆମ୍ଭର ପ୍ରସାଦୁ            ନ ହୋଇବ ଦୃଷ୍ଟ

ପ୍ରତିହାରୀ ଦ୍ୱାରା ନୃପ

ବିଘ୍ନରାଜ ସ୍ମରି            ଚଳ ଅନ୍ତପୁରେ

ନୃପତି କୁଳତିଳକ ।’’

 

ସୁରବର ବଜ୍ରୀ            ବଚନ କୁଳିଶ

ପରାୟ ମଣି ନୃପତି

କଲେ ପ୍ରତ୍ୟୁତ୍ତର            ବିରାଗେ ‘‘ଶୁଣିମା

ହେଉ ଦେବ ବଳାରାତି !

 

ସାଧ୍ୱୀ ଶିରୋମଣୀ      ବହୁକାଳୁ ନିଜ

ସୁଖେ ବରିଅଛି ମୋତେ

ସେ ପଣ ଭଗନ            କରିବ ସେ ବାଳା

ହେଉନାହିଁ ମୋର ପ୍ରତେ ।

 

ତଥାପି ଆଦେଶ            ମାନି ଯାଉଛି ମୁଁ’’

ଭାଷିଣ ହେଲେ ବାହାର

ମାର୍ଗେ ଯାଉଁ ଯାଉଁ       ହେଉଥିଲା ପ୍ରତେ

ଗତି ମତ୍ତକରୀବର ।

 

ବାରଣ-ଅରାତି             ଦ୍ୱାର ବିଭୀତକେ

ଲଂଘିଣ ନୃପ ପ୍ରାସାଦେ

ହୋଇ ପରବେଶ            ବିପଥେ ଖୋଜନ୍ତି

ସଂସାର ସାର ସଂପଦେ ।

 

ସହସା ନରେନ୍ଦ୍ର            ହେଲେ ଚମତ୍କୃତ

ବିଲୋକି ଏକ ନବର

ବିଚିତ୍ର ମଞ୍ଜୁଳ            ଚିତ୍ରରେ ବଞ୍ଜୁଳ

ମୋହିବ ସୁମନ ନର ।

 

କିଂକର କିଂକରୀ            ଅଲକ୍ଷେ ରାଜନ

ସଭୟେ ପ୍ରକୋଷ୍ଠେ ପଶି

ଦେଖିଲେ ବିଜୟେ            ଦନ୍ତୀ ଦନ୍ତାସନେ

ହେଟ ସୁଖେ ଚାୠହାସୀ ।

 

ବିକଚ ନଳିନୀ            ସମ ସତୀ ମୁଖ

ରାଜୁଥାଇ ତତକାଳେ

ଶୋଭା ସାଗର କି            ଉଛୁଳି ଉଠିଛି

ଉଲ୍ଲୋଳ ତରଙ୍ଗମାଳେ ।

 

ଶୁଭଦ ସମୟ            ଜାଣି ନରମଣି

ପ୍ରବେଶି କଲେ ଭାଷଣ

ଅୟି ସୁକୁମାରି !            ତବ ଅଗ୍ରତରେ

ସମ୍ମାନ କରେ ଜ୍ଞାପନ ।

 

ନିଷଧରାଜନ            ନଳ ଇତି ନାମ

ପ୍ରକାଶନ୍ତେ ଏ ଭାରତୀ

ସୁପ୍ତୋତିୃତା ପ୍ରାୟ             କୁରଙ୍ଗ ଇକ୍ଷଣୀ

ଅନାଇଲା ଚଉକତି ।

 

ବାର ବେନି ପୁର-            ମଣ୍ଡନ ରତୀଶ-

କୋଟି-ଜିତ ନଳବୀରେ

ପରିଖା ବେଷ୍ଟିତ            ସୁଦୃଢ଼େ ରକ୍ଷିତ

ନର ଅପ୍ରଚାର ପୁରେ ।

 

ନିଜ ସନ୍ନିଧାନେ            ଦେଖି ରାମାବର

ଭୟେ କଂପିତା ଶରୀର

ଦେଖେ ଶତ ଶତ            କିଂକରୀ ମଧ୍ୟରୁ

ଜଣେ ନାହିଁ ସେ ସ୍ଥାନର ।

 

ଭାବେ ହୃଦେ ବାଳା       କି ଉପାୟେ ଏହୁ

ସମାଗତ ଅନ୍ତପୁରେ

ଛଦ୍ମବେଶୀ ଦେବ            ଦାନବ କିଏ ୟେ

ବୃଥା ଚଳନାମ ଧରେ ।

 

ନାରୀମଣୀ ଭାବ            ଦେଖି ଭାଷି ନୃପ

‘‘ମୁଁ ଦୂତ ଦେବତାଙ୍କର

ନଭସ୍ୱତ, ହବ୍ୟ-            ବାହ, ଜଳଦେବ,

ବାୟୁ, ଶଚୀଦେବୀବର ।

 

ମହେଶ୍ୱର୍ଯ୍ୟ ଶାଜୀ            ଏ ପଞ୍ଚଦେବତା

ରୂପେ ଗୁଣେ ଅନୁପମ

ଆଗମନେ ଯାର            ହୋଇଲା ପବିତ୍ର

ତବ କୁଳ ଶୀଳ ମାନ ।

 

ଦେବତାମଣ୍ଡଳୀ            ତବ ପାଣି ପ୍ରାର୍ଥୀ

ହୋଇ ଆସିଛନ୍ତି ଏଥେଁ

ସ୍ୱୟମ୍ୱର ସ୍ଥଳେ            ଗମିଣ ସୁନ୍ଦରୀ !

ବର ଜଣେ ଇଚ୍ଛାମତେ ।

 

ମର୍ତ୍ତ୍ୟବାସୀ ହୋଇ      ସଶରୀରେ ସ୍ୱର୍ଗେ

ହେବ ଯାଇଁ ଅଧିଷ୍ଠିତା

ଲଭିବ ସରଗ-            ସୁଖ ସଉଭାଗ୍ୟ

ଏ ନୋହେ ସମାନ୍ୟ କଥା ।

 

ସୁମନ ପ୍ରସାଦେ            ସୁମନେ ପ୍ରାସାଦେ

କଲି ତବ ଦରଶନ

ନ କରି ସଂଶୟ            ନିର୍ଭୟେ ଚପଳେ

କର ସମ୍ମତି ପ୍ରଦାନ ।’’

 

 

ପ୍ରତିବାକ୍ୟ ଦାନେ            କୁଣ୍ଠିତା ଭୈମୀକୁ

ଦେଖି ତହୁଁ ନରବର

ପୁନଃ ଭାଷି ‘‘ଆର୍ଯ୍ୟେ       ଉତ୍ତର ପ୍ରଦାନେ

କିପାଇଁ ହୁଅ କାତର ।

 

ମଉନ ରହିବା             ସୁନ୍ଦରୀମଣିଟି

ସମ୍ମତି ପରିଚାୟକ

ହେଉଛି ବିଦାୟ            ଆଶ୍ୱାସିବି ଦେବେ

ଶ୍ରମ ମୋ ହେଲା ସାର୍ଥକ ।

 

କିନ୍ତୁ ଦୂତ ମୁହିଁ             ଏ ସ୍ଥାନେ ମୋହର

ମଠ କରା ଅନୁଚିତ’’

ଶୁଣି ନୃପଜେମା            ‘‘ନିଶ୍ଚେ ନଳ ଏହି’’

ହୃଦେ କରିଲା ସିଦ୍ଧାନ୍ତ ।

 

ଅନୁପମ ବାଣୀ-            ବାଣ ନଳଙ୍କର

ବିଷମ ବିଶିଖ ଜାଣି

ଅନଙ୍ଗ ବାଣରେ             ହେଲା ଆନ ଆନ

ବୈଦର୍ଭୀ ମହିଳାମଣି ।

 

ବିହରିତେ ଚାହିଁ            ବ୍ରୀଡ଼ା ତେଜି ବାଳା

ନରେନ୍ଦ୍ରେ ହେଲା ଓଳଗି

ବଡ଼ଭୀ ଉପୁଜେ            ହୃଦଗତେ ତାର

ସଖି ଆଗମନ ଲାଗି ।

 

ଅଳପ ଅପାଙ୍ଗେ            ଅନାଇ ରାଜନେ

ସ୍ୱଗତେ ଭାବେ ସୁନ୍ଦରୀ

କେତେ କାଳ ବସି            ବିରଞ୍ଚି ବିରଚି

ଅଛି ଏ ରୂପ ମାଧୁରୀ ।

 

ଉପମା ଦେବାକୁ             ଉପମେୟ କିଛି

ମୋ ଚକ୍ଷୁକୁ ଦିଶୁନାହିଁ

ଧନ୍ୟ ସେ ଜନନୀ            ଏ ରତ୍ନକୁ ଯେହୁ

ପ୍ରସବିଲେ ମର୍ତ୍ତ୍ୟଭୂଇଁ ।

 

ତହୁଁ ବଳି କୋଟି-            ଗୁଣେ ଭାଗ୍ୟବତୀ

ଭବେ ସେ ବରବର୍ଣ୍ଣିନୀ

କେତେ ତପ କରି             ନ ଥିବଟି ପୂର୍ବେ

ଏ ଯୁବା-ମନ-ମୋହିନୀ

 

ଯୁବତୀ ଧଇର୍ଯ୍ୟ            ଅବଶ୍ୟ ଟଳିବ

ଏ ରମ୍ୟ ମୂର୍ତ୍ତି ଦର୍ଶନେ

ପ୍ରବୀ ତେଜେ ଯଥା      ଦ୍ରବି ଯାଏ ହବି

ମୁହୂର୍ତ୍ତ ମାତ୍ରକେ କେଣେ ।

 

ମରାଳ ଭାଷଣ-            ଠାରୁ ଶତେ ଗୁଣ

ଅଟନ୍ତି ଏ କମନୀୟ

ଆବାଲ୍ୟୁ ଏସନ            ମୂରତି ତ କେବେ

ନ ଦେଖିଲା ନେତ୍ର ଦ୍ୱୟ ।

 

ଚକ୍ଷୁ ଲଭିବାର            ଫଳ ସିନା ଏବେ

ପାଇଲି ମୁଁ ଭାଗ୍ୟବଳେ

ଧନ୍ୟ ରେ ନୟନ            ବେନି ଅବଗାହି

ଏ ଶୋଭା-ସରସୀ ଜଳେ ।

 

ଧ୍ରୁବ ମୋ ଭାବନା            ଅଟନ୍ତି ଏ ନଳ

ରାଜେନ୍ଦ୍ର-କୁଳ-ମଉଳି

ମନର ମନ ମୋ            ସାଧନାର ଧନ

ଏ ପାପ-ନେତ୍ର-ପିତୁଳି ।

 

ଧମନୀର ରକ୍ତ            ଏହି ମୋ ଆଶାର

ଆଶା, ପିଣ୍ଡ ଏ ଛାୟାର

ମୋ ହୃଦୟ-ବନ-            ବିହାରି କୁରଙ୍ଗ

ଏ ଦୁର୍ଲଭ କୃଷ୍ଣସାର ।

 

ସୁଚାରୁ ସୁମନ            ମୋ ଆଶା-ଲତାର

ଚିନ୍ତା ରତ୍ନାକର ଧନ

ତୃଷାର୍ତ୍ତୀ ଚାତକୀ            ଏ ଦୀନା ସେବକୀ

(ସେ) ଚାତକିନୀ ପ୍ରାଣ, ଘନ ।

 

ପରୀକ୍ଷାର କ୍ଷେତ୍ର            ଅଟଇ ଜଗତ

ମୋ ସମୟ ହେଲା ଆସି

ମୋ ମନ ବିଡ଼ିବା             ପାଇଁ ସମାଗତ

ଏ ସାଧବୀ-ଧୃତୀ-ଧ୍ୱଂସୀ ।

 

ଲାଜ ଲାଜ ହୋଇ       କହେ ତହୁଁ ବାଳା

‘‘ପ୍ରଭୁ କର ଅବଧାନ

ହଂସ ମୁଖୁ ଶୁଣି            ବହୁକାଳୁ ଦାସୀ

ତୁମ୍ଭ ପଦ କରେ ଧ୍ୟାନ ।

 

ପୁନଃ କେଉଁ ଦୋଷେ       ସ୍ୱୟଂ କରି ବିଜେ

ଅନ୍ୟକୁ ଆଶ୍ରିବା ପାଇଁ

କର ଅନୁରୋଧ,            ଜାଣିଛ ସତିତ୍ଵ

ଅପେକ୍ଷା ଗୌରବ ନାହିଁ- ।

 

ନାରୀ ଜୀବନର,            ପୁନଃ ପରିଣିତା

ପକ୍ଷେ କି ଅଟେ ଯୁକତ

ବରିବାକୁ ଆନେ ?      ଶ୍ରବଣେ ଯେ କଥା

ପାପ ବଢ଼େ ଅପ୍ରମିତ ।

 

ସ୍ୱାମୀ ବନିତାର            ଗତି, ମୁକ୍ତି, ଭୂତି

ସ୍ୱାମୀ ସୁଖ-ଦୁଃଖ-ଦାତା

ସର୍ବ ଧର୍ମ ଛାଡ଼ି            କଲେ ସ୍ୱାମୀ ପୂଜା

ସନ୍ତୁଷ୍ଟ ବିଶ୍ୱନିୟନ୍ତା ।

 

ନୀରବନ୍ତେ ବାଳା            ଭାଷି ନୃପ ତହୁଁ

‘‘ଦେବ ଜାୟା ତୁମ୍ଭେ ସତୀ

ଏସନ ଅନ୍ୟାୟ            ଉକତି ଅଯୁକ୍ତ

ମୋ ପକ୍ଷେ ତବ ସମ୍ପ୍ରତୀ ।’’

 

ପ୍ରତ୍ୟୁତ୍ତରେ ଭୈମୀ       କହେ ‘‘ଶ୍ରୀଚ୍ଛାମୁଁରେ

କରେ ଦାସୀ ନିବେଦନ

ନ କର ପରୀକ୍ଷା             ବାରବାର, ମୁହିଁ

ଶ୍ରୀପଦ-ଆଶ୍ରିତ-ଜନ ।

 

ଆଶ୍ରିତ ବତ୍ସଳ !            ଆଶ୍ରୟ ପ୍ରଦାନେ

କିପାଇଁ ହୁଅ କାତର

କେଉଁ ଦୋଷ ଦେଖି            ଶ୍ରୀପଦ ତଳରୁ

ଦାସୀକୁ କରୁଛ ଦୂର ।

 

କରିଛି ନିୟମ            ଥିବାଯାଏ ଜୀବ

ଚିତ୍ରି ହୃଦେ ରୂପ ତବ

ପୂଜିବି ସର୍ବଦା            କିନ୍ତୁ ମୁଁ କଦାପି

ନ ବରିବି ଆନ ଧବ ।

 

ପୂର୍ବାକାଶ ତେଜି            ପଶ୍ଚିମ ଗଗନେ

ବିରାଜିବେ ଯଦି ଭାନୁ

କମଳ ତେଜିଣ            କମଳ ଆଶ୍ରିବ

ଯଦି ମରୁ କିମ୍ୱା ସାନୁ ।

 

ଟଳିବ ମନ୍ଦର       ବୃହଦ୍ଭାନୁ ଭାନୁ

ଯଦି ହୀମେ ପରିଣତ

ହେବ ତଥାପି ଏ             ବଚନ ମୋହର

ନୋହିବ କଦା ଅନୃତ ।

 

କହିବ ପ୍ରାଣେଶ            ଦେବେ ସାନୁନୟେ

କରିବେ ସର୍ବେ କଲ୍ୟାଣ

ଆମ୍ଭ ଦୁଇଙ୍କର            ହେବ ଏ ଧରାରେ

ଅଚ୍ଛେଦ୍ୟ ପ୍ରୀତି-ବନ୍ଧନ ।

 

ମୁଁ ସୁତା ତାଙ୍କର             ପ୍ରେମେ ମୋର ଦେବେ

ନ ବଳାଇବେ ମାନସ

ତନୟା ପୀରତି            ଆଶେ ଅବଶେଷେ

କିପାଁ ନେବେ ଅପଯଶ ।’’

 

ସ୍ୱୟମ୍ବର ସ୍ଥଳୁଁ             ଏକାଳେ ଉଲ୍ଲସି

ଉଠିଲା ତୁର୍ଯ୍ୟ ନିନାଦ

ଯୁବକ ଯୁବତୀ            ବେନିଙ୍କୁ ହୋଇଲା

ବିନୋଦ ସ୍ଥଳେ ଖେଦଦ ।

 

ତହୁଁ ବ୍ୟସ୍ତ ଚିତ୍ତେ            ‘ବିଦା ହେଲି ସତି’ !

ଭାଷିଣ ସୁନ୍ଦରୀ ପାଶ

ତେଜିଣ ତକ୍ଷଣ            ନୃପତି-ଲଲାମ

ମାର୍ଗେ ହୋଇଲେ ପ୍ରବେଶ ।

 

କରି ତ୍ୱରା ଗତି            ସୁମନ ଶିବୀରେ

ବିରାଜିତ ହୋଇ ବୀର

ଦେବଗଣେ ଯଥା-            ବିଧି ମାନ୍ୟ ବିହି

ନିବେଦିଲେ ସମାଚାର ।

 

ଦେବ ଦେବରାଜ            ଆଜ୍ଞା ଶିରୋଧାର୍ଯ୍ୟ

କରି ଜେମା ସନ୍ନିଧାନେ

ଗମିଲି ନିଶଙ୍କେ            କହିଲି ବୁଝାଇ

ଯଥୋପଯୁକ୍ତ ବିଧାନେ ।

 

କେତେମତେ ବାଳା            ନ ଶୁଣିଲା ବାଣୀ

ଆରତେ କଲା ଉତ୍ତର

‘‘ସତୀ ମୁଁ, ନିଶ୍ଚୟ             ବରିବି ନଳଙ୍କୁ

ଏକ ପତିବ୍ରତ ମୋର ।’’

 

ନିଷ୍କପଟ ନୃପ            ଦେବଗଣ ପାର୍ଶ୍ୱେ

ନିର୍ଭୟେ ସତ୍ୟ ପ୍ରକାଶ

କରି ବରିନେଲେ            ନିଜ ଗୁଣେ ତହୁଁ

ଦେବତାବୃନ୍ଦଙ୍କ ରୋଷ ।

 

ଶ୍ରୁତି ସୁଖକର            ସୁଗଣିକା କଣ୍ଠ

ନିସୃତ ସଙ୍ଗୀତ ଧ୍ୱନି

ଶୁଣି ଶୁଣି ମଞ୍ଚେ            ହେଲେ ଉପସ୍ଥିତ

ଆମନ୍ତ୍ରିତ ଜନଶ୍ରେଣୀ ।

 

ମହାର୍ହ ବସନ            ଭୂଷଣେ ଭୂଷିତା ।

ବିଜୟେ ନୃପ ଦୁହିତୀ

ମୁଖରାବ କ୍ୱଣେ            ହୋଇ ମୁଖରିତା

କୋଳାହଳପୂର୍ଣ୍ଣ କ୍ଷିତି ।

 

ପ୍ରିୟ ଆଳିଗଣ            ବେଷ୍ଟିତା ହୋଇଣ

ନୃପବାଳୀ ମଞ୍ଚୋପରି

ପୂର୍ବାଦିଷ୍ଟ ସ୍ଥାନେ            ବସିଲେ ମାନସେ

ନଳ ରୂପ ଧ୍ୟାନ କରି ।

 

ବଜ୍ରୀ ପରାମର୍ଶ            ଅନୁସାରେ ପଞ୍ଚ-

ଦେବ ନଳ ରୂପ ବହି

ସ୍ୱୟମ୍ୱର ସ୍ଥଳେ            ଥିଲେ ଉପବିଷ୍ଟ

ହିଂସା ଭାବ ହୃଦେ ନିହି ।

 

ରାଜନ ଆଦେଶେ            ବରମାଲ୍ୟ ହସ୍ତେ

ପଚିଚାରିକା ଗହଣେ

ବିରାଜି ରୂପସୀ            ହେଲା ବିବିସ୍ମୟ

ଅଦ୍ଭୁତ ଦୃଶ୍ୟ ଦର୍ଶନେ ।

 

ଇନ୍ଦ୍ର ଆଦି ଦେବେ            ଦିଶୁଛନ୍ତି ସର୍ବେ

ନଳ ପରି ରୂପବାନ

ଚିହ୍ନି ନ ପାରିଲା             ସେ ବାଳିକାମଣି

କିଏ ସେ ନିଷଧରାଣ ।

 

ସାଧ୍ୱୀଶିରୋମଣି            ନୈଷଧେଶ ବାଣୀ

ସ୍ମରି ଭାବନ୍ତି ସ୍ୱଗତେ

‘‘ସୁନାଶୀର ମନ୍ଦ-            ବୁଦ୍ଧିରେ ଏସନ

ଭିଆଇଛି ହୁଏ ପ୍ରତେ ।’’

 

ଏକମନେ ଏକ-            ଧ୍ୟାନେ ଭାଷେ ବାଳା

ଚିତ୍ରଭାନୁ କରି ଲୟ

‘‘ହୋଇଥିବି ଯଦି            ଆବାଲ୍ୟରୁ ସତୀ

ସତ୍ୟବାକ୍‌ ଅହରହ ।

 

ଭୀମ ସୁତା ଚିତ୍ତ            ଦାନ ଧର୍ମେ ଯଦି

ନ୍ୟସ୍ତ ଥିବ ସରବଦା

ନ୍ୟାୟ ଧର୍ମପଥ            ଆଶ୍ରା କରିଥିବ

ନ ଆଚରି ତିଳେ ଦ୍ୱିଧା ।

 

ହୋଇବଇଁ କ୍ଷମ            ବାଛି ନେବାପାଇଁ

ଏଥୁଁ ପ୍ରାଣେଶ୍ୱର ମମ ।

ନିଷଧ ରାଜନ            ବୀର ଅରିନ୍ଦମ

ନଳ, ପୁରୁଷଉତ୍ତମ ।

 

ନରେଶ୍ୱର ନଳ            ଛଡ଼ା ଆନ ପୁଂସେ

ନ ଥିଲେ ବୈଦର୍ଭୀ ମତି

ମାତ ବିଶ୍ୱଧାତ୍ରୀ            ବାଛି ଦିଅ ତ୍ଵରା

ଏଥୁଁ ମମ ପ୍ରାଣପତି ।’’

 

ସ୍ୱଗତେ ଏସନ            ପ୍ରକାଶୁ କମ୍ପିଲା

ରୂପସୀ ବାମ ଈକ୍ଷଣ

ଚପଳା ପରାୟେ            ହୃଦ ନଭେ ତୂର୍ଣ୍ଣେ

ଖେଳିଗଲା ଦିବ୍ୟ ଜ୍ଞାନ ।

 

ସତୀତ୍ଵ ପ୍ରଭାବେ            ଦିବ୍ୟ ଚକ୍ଷୁ ଲଭି

ଦେଖିଲା ସୁନ୍ଦରୀମଣି

ଦ୍ୱାଦଶ ପୟରୁ            ବେନି ପଦ ମାତ୍ର

ସ୍ପର୍ଶିଛି ପୃଷ୍ଠ ଧରଣୀ ।

 

ଜାଣିଲା ସାଧବୀ            ପାଦ ଯାର ସ୍ପର୍ଶ

କରି ନାହିଁ ଭୂମି ତଳ

ଅଟନ୍ତି ସେମାନେ             ଅଯୋନି-ସମ୍ଭୂତ

ସ୍ୱର୍ଗବାସୀ ଦେବବଳ ।

 

ମହୀପର ଆଶ୍ରା            କରିଛି ଯେ ଜନ

ବିମଳ ଅଂଘ୍ରୀଯୁଗଳ

ସେହିଟି ତାହାର            ଇପ୍ସିତ ରତନ

ନିଷଧ-ରାଜନ ନଳ ।

 

ଏତେ ଭାଷି ବାଳା            ପ୍ରଣୟେ ବିଧୁର

ହୋଇ ସଖି ସଙ୍ଗତରେ

ବ୍ରୀଡ଼ା ସଂଯୁତରେ       ବରଣ ମାଳିକା

ଲମ୍ୱାଇ ନୃପ ଗଳାରେ ।

 

ଅପାଙ୍ଗ ବୀକ୍ଷଣେ            ଅବନୀ ଶୋଭିନୀ

ନୃପ ଧୈର୍ଯ୍ୟ କଲା ନାଶ

ସହିତେ ଉପାଟି            ନେଲା ସଭିଙ୍କର

ମାନସୁ ଧୈର୍ଯ୍ୟ ସାରସ ।

 

ମନ୍ଦ ମନ୍ଦ ଗତି            କରି କୁନ୍ଦଦନ୍ତୀ

ଅନ୍ତଃପୁରେ କଲା ବିଜେ

ବୈରାଗ୍ୟ ଆକୁଳ            ଅର୍ଣ୍ଣବେ ମଜ୍ଜାଇ

ନର ନାଗ ଦେବ ବ୍ରଜେ ।

 

ଶୌର୍ଯ୍ୟ ବୀର୍ଯ୍ୟ ପୁନଃ      ବିପୁଳ ବିଭୂତି-

ଭୂଷିତ ନିଷଧରାଜ

ଚିତ୍ତ ଦମ୍ଭ ବିବ-            ର୍ଜିତ ଦେଖି ସର୍ବ

ଦେବତାୟେ ବହି ଲାଜ ।

 

ସ୍ୱୀୟ ଇଚ୍ଛା ଅନୁ-             ରୂପେ ନୃପବରେ

ଦେଇ ଯଥାଯୋଗ୍ୟ ବର

ବଜ୍ରୀ ସହ ସର୍ବେ            ତେଜି ସଭାସ୍ଥଳୀ

ଚଳିଲେ ନିଜ ନବର ।

 

ବିଧିମତେ ବିଭା-            ସମ୍ଭାର ଭିଆଇ

କିଛିଦିନେ ନଳ ରାଜ

ସହ ଦମୟନ୍ତୀ            ସତୀ ବୈଜୟନ୍ତୀ

ତେଜିଲେ ବିଦର୍ଭ ରାଜ୍ୟ ।

 

ଶ୍ରୀଯୁକ୍ତ ନିଷଧ            ରାଜ୍ୟେ ନରପତି

ପ୍ରବେଶ ହେଲେ ସତ୍ୱର

ବିଦେହ-ନନ୍ଦିନୀ            ଘେନି ଯେହ୍ନେ ରାମ

ବିଜୟେ ଅଯୋଧ୍ୟାପୁର ।

 

ଦ୍ୱିତୀୟ ସର୍ଗ

ଦର୍ପୀ-ଦର୍ପହାରୀ            ନୈଷଧେଶ ବଳୀ

ଦମୟନ୍ତୀ ସତୀ ସହ

ବିରାମ ମନ୍ଦିରେ            ବିହାରରେ ରତ

ହୋଇଥିଲେ ଅହରହ ।

 

କ୍ରମେ ସମାଗତ            ହୋଇଲା ଜଗତେ

ସରସ ସୁରଭି କାଳ

ପାଦପ ଲତିକା            ଭଜିଲେ ରକ୍ତିମା

ନବ ପଲ୍ଲବେ ମଞ୍ଜୁଳ ।

 

ନଳୀନ-ବଲ୍ଲଭ            କର ସ୍ପର୍ଶେ ତେଜି

ପୂରୁବ ବିମର୍ଷ ଭାବ

କମଳିନୀ ଧନୀ            ଉଠିଲା ଉଲ୍ଲସି

ନବ ଭାବେ ବହି ଗର୍ବ ।

 

ଅଳିରାଜ ମତ୍ତ            ହୋଇ ପୁଷ୍ପରସ

କରିବାକୁ ଆସ୍ୱାଦନ

ଏ ଫୁଲୁ ସେ ଫୁଲେ            ଉଡ଼ି ବୁଲୁଥାଇ

ବିଟପ ନର ସମାନ ।

 

ସାରସାଦି ଜୀବ-            ଜନ୍ତୁ କୋଳାହଳେ

ମୁଖରିତ ଚଉଦିଗ

ବିମଳ ସଲିଳେ            କମଳ କହ୍ଲାର

ବିକଶି ମୋହେ ପୁନ୍ନାଗ ।

 

ଭାନୁ ଭାନୁ ପ୍ରଭା            ସ୍ପର୍ଶେ ବିଶ୍ୱମ୍ଭରା

ତାପ ବଢ଼େ ବେଳୁବେଳ

ଫଣି ତୁଲ୍ୟ ଶର            ଧରି ମନସିଜ

ପେଷିଲା ଅବନୀ ତଳ ।

 

ବାତପୋତ-ତରୁ            ବର୍ଜ୍ୟାନାରୀ ପରି

କରେ ଧରି ଫୁଲମାଳ

ଉଭା ହୋଇ ଦୂରେ      କରୁଥାଏ ଲୋଭା

ପାନ୍ଥ-ନୟନଯୁଗଳ ।

 

ବିଟପ ଅଙ୍କରେ            ବିଟପୀ ନାୟିକା

ପରାୟେ ବସନ୍ତ ଦୂତ

ବସନ୍ତ-ଦ୍ରୁମରେ             ବସି ହରଷରେ

ପଞ୍ଚସ୍ୱରେ କରେ ରୁତ ।

 

ୠତୁରାଜ ସମା-            ଗତ ଦେଖି ପୁଷ୍ପ-

ବତୀ ପୁନ୍ନାଗ ସୁନାରୀ

ବିଚ୍ଛେଦ ଶେଷରେ            ନାୟକ ନାୟିକା

ଅବସ୍ଥାକୁ ଅନୁସରି ।

 

ଅଶୋକ ଶାଖାରେ      ବସି ଅଳି ଆଳି

ଗୁଣୁ ଗୁଣୁ ସ୍ୱରେ ସଦା

ସମ୍ୱରାରି ପଦେ            ସ୍ତୁତି ଆଚରନ୍ତି

ନାଶନେ ଅନ୍ତର ବାଧା ।

 

ରମ୍ୟ ବସୁନ୍ଧରା            କ୍ରମେ ପରିଣତ

ହେଲା କାମ ରଙ୍ଗଭୂମେ

ସସ୍ତ୍ରୀକେ, ବୀରହୀ            ହେଲେ ବଶୀଭୂତ

କୁସୁମକେତୁ ଶାସନେ ।

 

ନିଶାକାଳେ ନଭେ            ନିଶିଥିନୀ-କାନ୍ତ

ଦିଶେ ଅତି ମନୋରମ

ମଳୟ ମରୁତ            ସ୍ମରଶେ ପରାଣ

ହୁଏ ପୁଲକେ ମଗନ ।

 

ପିକଳୁଳାଳାପେ            ଚୂତ ତରୁରାଜି

ସରବଦା ମୁଖରିତ

କଳାପି କଳାପ            ଟେକି କେକା ରବେ

ଆରମ୍ଭିଲେ ହର୍ଷେ ନୃତ୍ୟ ।

 

ବିଷ-ପୁଷ୍ପଜାତ            ମଦିରା ମାଦକେ

ଉନ୍ନତ୍ତ ଭ୍ରମରଶ୍ରେଣୀ

ମଦନ ଆଦେଶ             କରି ଶିରୋଧାର୍ଯ୍ୟ

ମୁଖେ ତା ନିରତେ ଗୁଣି ।

 

ବୃକ୍ଷୁ ବୃକ୍ଷାନ୍ତରେ            ଉଡ଼ି ବୁଲୁଥାନ୍ତି

ଗୁଣୁ ଗୁଣୁ ସ୍ୱନ କରି

ବସନ୍ତ ବିଜୟ-            ଡିଣ୍ଡିମ କିବା ସେ

ବଜାନ୍ତି ସଂସାରେ ଫେରି ।

 

ବିଜେ ଦିନେ ନୃପ-      ସହ ଦମୟନ୍ତୀ

ସୁପୁଷ୍ପଶୋଭିତ ବନେ

ବିଜେ ଯଥା ଶଚୀ-      ସହ ଶଚୀପତି

ସ୍ୱୀୟ ନନ୍ଦନକାନନେ ।

 

ସରାଗେ ଭାଷିଲେ      ନରେନ୍ଦ୍ର ‘‘ସୁନ୍ଦରୀ’’ !

ନିର୍ଭୟେ ଏଠାରେ ଭ୍ରମି

ଦେଖ ପ୍ରକୃତିର            ଶୋଭା, କି ରଙ୍ଗରେ

ଧାଇଁଛି ଅଗ୍ରେ ତଟିନୀ ।

 

ତୋଳ ମନୋମତ            କୁସୁମ ସମ୍ପ୍ରତି

ବାସନ୍ତୀ ମଲ୍ଲୀ ନିଆଳୀ

କନକ ଅଶୋକ            ଚମ୍ପକ ପଲାଶ

କାଞ୍ଚନ ଯୂଇ ବଧୂଲୀ ।’’

 

ବଳୟଶୋଭିନୀ            କୁସୁମ ଚୟନେ

କୁଣ୍ଠିତା ବନ ଗମନେ

ଦେଖି ନରପତି            ଘେନି ଦମୟନ୍ତୀ

ରତ କୁସୁମ ଚୟନେ ।

 

ନବକର୍ଣ୍ଣିକାର            ପୁଷ୍ପ ରାମାବର

ଶ୍ରବଣେ ଖଞ୍ଜିଲେ ଧୀରେ

ମଲ୍ଲୀକଢ଼ି ସ୍ଥାନେ            ଯତ୍ନେ ମଲ୍ଲୀକଢ଼ି

ଖୋସିଲେ ନୃପ ସଧୀରେ ।

 

ଅଳକା ସ୍ଥାନରେ            ଅଶୋକ କୁସୁମ

ଖୋସି ପ୍ରୀତି ଅନୁରାଗେ

ତୋଳିଣ ବନ୍ଧୁକ            ବନ୍ଧୁ କରେ ଦେଇ

କହନ୍ତି କଥା ସରାଗେ ।

 

ବିବିଧ କୁସୁମେ            ଗୁନ୍ଥି ମନୋହର

ହାର ସତୀ ନୃପ ଗଳେ

ଦିଅନ୍ତେ ଲମ୍ବାଇ            ନୃପ ମଣ୍ଡି ବେଣୀ

ଭ୍ରମନ୍ତି ପ୍ରେମବିହ୍ୱଳେ ।

 

ସୁମନ ସର୍ବାଙ୍ଗେ            ମଣ୍ଡିତ ହୋଇଣ

ବୁଲନ୍ତି ବନେ ଦମ୍ପତି

ପ୍ରତେହୁଏ କି ସେ            ପ୍ରାଣପ୍ରିୟା ସଙ୍ଗେ

ବିହରନ୍ତି ରତୀପତି ।

 

ପ୍ରେମିକ ସଙ୍ଗତେ            ପ୍ରେମିକା ଏସନେ

ଯା’ନ୍ତେ ଅରଣ୍ୟ ବିହାରେ

ଝିଙ୍କାରି ଝଙ୍କାର            ଶୁଣି ସଚକିତେ

ପୁଚ୍ଛାକରେ ପ୍ରାଣେଶ୍ୱରେ ।

 

‘‘କିଏ ସେ ସୁନ୍ଦରୀ !’’      ଶ୍ରବଣେ ଭୂମିପ

କହନ୍ତି ‘‘ରେ ଚାରୁହାସି !

ବଳାହକ-କେଶା            ବଳାଧ୍ୱନୀ ଝିଲ୍ଲ

ଝଙ୍କାର ସଙ୍ଗତେ ମିଶି ।

 

ନାହିଁ ଭୟ ସଖି !            ସପତଣୀ ଭାବି

ଏକଜାୟା ବ୍ରତ ମୋର

ଥିବାଯାଏ ଜୀବ            ତବ ଛଡ଼ା ଆନେ

ନ ମଜ୍ଜିବ ନଳ ବୀର ।’’

 

ହସି ଭାଷି ଭୈମୀ            ‘‘ଶିଳିମୁଖ ପରି

ପୁରୁଷଙ୍କର ବେଭାର

ପର୍ଯ୍ୟୁସିତ ଦ୍ରବ୍ୟେ            ଭୋଗ କରି ପୂର୍ବେ

ଶେଷେ କରି ଅନାଦର ।

 

ଆବର ପ୍ରାଣେଶ            ନାହିଁ ଦୋଷ କଲେ

ଦ୍ୱିତୀୟ ଦାର ଗ୍ରହଣ

ଫୁଟେ ନାହିଁ କିବା            ଗୋଟିଏ ଡେମ୍ଫରେ

ବେନି ସୁଚାରୁ କୁସୁମ ।’’

 

‘‘ଦେଖାଅଛି ସହି !’’      କହନ୍ତି ରାଜେନ୍ଦ୍ର

‘‘ଏକ ଡେମ୍ଫେ ବେନିଫୁଲ ।

କିନ୍ତୁ ନ ସମ୍ଭବେ            ପ୍ରାଣପ୍ରିୟେ ! ଏକ

ବୃନ୍ତରେ ବେନି କମଳ ।’’

 

ତହୁଁ ଅଗ୍ରେ ଯାଇଁ            ଆମୂଳ ପୁଷ୍ପିତ

ଅଶୋକ ପାଦପ କୁଳ

ଦର୍ଶାନ୍ତି ପ୍ରିୟାକୁ            ‘‘ଦେଖ ଏ ଅଶୋକ

ବିରହୀଜନଙ୍କ କାଳ ।’’

 

ମୃଦୁ ବାୟୁ ଭରେ            କମ୍ପିତ ପଲ୍ଲବେ

ଶୋଭିତ ବାସନ୍ତୀ ଫୁଲ

ଚୁମ୍ବଇ ନିରେଖ            ଭ୍ରମର କେସନେ

ଦେଖି ପ୍ରେମେ ନୁହ ଭୋଳ ।’’

 

‘‘ବଡ଼ ଦୁଷ୍ଟ ତୁମେ’’            କହନ୍ତେ ସୁନ୍ଦରୀ

ତହୁଁ କୁରୁବକ ପାଶେ

ଯାଇଁ ନୃପ ଭାଷି            ‘‘କହ ୟା କାଳିମା

କେଉଁ ଅଙ୍ଗେ ତବ ମିଶେ ।’’

 

ଶୁକ ପକ୍ଷୀ ଚକ୍ଷୁ            ପରି ଦେଖ କେହ୍ନେ

ଫୁଟିଛି କିଂଶୁକ ଶ୍ରେଣୀ

ଆରକ୍ତ ବସନ            ପିନ୍ଧିଲା ପରାୟେ

ଦିଶଇ ଅଟବୀ ରାଣୀ ।

 

‘‘କୁନ୍ଦହାସି ! ଦେଖ            କେତେ କୁନ୍ଦ ପୁଷ୍ପ

ଫୁଟି ଦିଶଇ ଶୋଭନ

ତବ ନେତ୍ର ବେନି            ସଙ୍ଗେ ସୁଷମାରେ

ଏ ଲୋଧ୍ର କୁସୁମ ଘେନ ।

 

ବାମେ ଚାହିଁ ମାଳ            ମାଳ ତମାଳରେ

ତମାଳ କଳି କୁନ୍ତଳା !

ବିରାଜନ୍ତି ବନେ            ଚାହଁ କି ମଞ୍ଜୁଳେ

ମାଳତୀ ରେ ପ୍ରେମଶୀଳା !

 

କାଦମ୍ବଗମନା !            କଦମ୍ବ-କଦମ୍ବ

କି ଭାବେ ଅଛନ୍ତି ରାଜି

ସୁନାରୀ ଏ ସଖୀ !      ଯାହାଙ୍କୁ ସୁନାରୀ

ସରବଦା ଥାନ୍ତି ଭଜି ।

 

ଏଣେ ଅନା ୟାର            ନାମଟି ନିଆଳି

ନିଆଳି-କଳି-କରଜା !

କି ଶୋଭା ପ୍ରକାଶେ’’      ଶ୍ରବଣେ ଏ ବାଣୀ

ଭାଷନ୍ତି ଭୀମତନୁଜା ।

 

‘‘ନିଆଳୀ ହସନ୍ତି            ଯେଣୁ ମୁଁ ନିଆଳି

ଭାବେ ରହିଛି ସଂପ୍ରତି ।

‘‘ମିତ ଭାବେ ହସୁ-      ଛନ୍ତି ପ୍ରାଣମିତ’’

ଭାଷନ୍ତି ତୋଷେ ନୃପତି ।

 

‘‘ରେ ନବୀନାମଣି            ନବୀନା ମରୁଆ

ଛୁରିଅନା ମୁଚୂକୁନ୍ଦ

ମଧୂଲୁବ୍ଧେ ଯାର            ପାଶେ ମଧୂକର

ଉଡ଼ୁଛନ୍ତି ବୃନ୍ଦ ବୃନ୍ଦ ।

 

ପତିବ୍ରତା ପରି            କେତେକ କେତେକ

ରହିଛନ୍ତି ଆଜୀବନ

ବାସ ଆଶେ ଅଳି            ଯେତେ କରେ ଅଳି

ନ ଟଳେ ସାଧବୀ ମନ ।

 

ଦୟଣା କଞ୍ଚନ            ଆଦି କୁସୁମରେ

ବିଭୂଷିତ ଏହି ବନ

ପ୍ରେମିକ ପ୍ରେମିକା            ଚିତ୍ତ ବିନୋଦନେ

(ଏ) ବିଶ୍ୱ ନିୟନ୍ତାର ଦାନ ।

 

କରକରଦନା !            କରକର ଶୋଭା

ଦେଖ କଳିକାର ଛବି

ଦର ବିକଶିତ,            ଏ ମାର ମାରଣ

ହୃଦ ମନ୍ଦରକୁ ପବି ।’’

 

ଅରଣ୍ୟାନୀ ମଧ୍ୟେ            ଗମନ୍ତେ ଏ ଭାବେ

ପ୍ରିୟା ସହ ନୃପଈଶ

ଦେଖିଲେ ପୁରତେ      ବିରାଜେ ସରସ-

କମଳ ପୂର୍ଣ୍ଣ ସରସ ।

 

ସାରସ କମଳ            କୁମୁଦେ କହ୍ଲାରେ

ନୀଳ ସାରସେ ରାଜିତ

ବିମଳ ଆଦର୍ଶ            ପରାୟେ ତା ଅଙ୍ଗ

ମୋହିବ ବିବୁଧ ଚିତ୍ତ ।

 

ମାନ ସରୋବରୁ            ଶୋଭିତ କାସାରେ

ସଲିଳ ଚର ସହିତ

କିଶୋର କୁଳଙ୍କ            କୌତୁକ ବିଲୋକି

କାନ୍ତା ଧରେ ହସ୍ତ ନ୍ୟସ୍ତ ।

 

କରି ଭାଷି ନୃପ            ‘‘ଆଜନ୍ମସୁଖୀ ରେ

ଇଚ୍ଛ କି ଜଳ ବିହାରେ ?

ଭୟ ବିରହିତ            ନିର୍ଜନ ଏ ସ୍ଥାନ

ସଖୀଗଣ ଛନ୍ତି ଦୂରେ ।’’

 

ନେତ୍ରାନ୍ତେ ରୂପସୀ            କରନ୍ତେ ସ୍ୱୀକାର

କରମ୍ବିତେ ବାଳା ପୁଂସ

ନାନା କଉତୁକେ            ହାସ ରସ ରଙ୍ଗେ

ଜଳରେ ହେଲେ ପ୍ରବେଶ ।

 

ନିରେଖି ଜଳକୁ            ବୋଲନ୍ତି ରାଜେନ୍ଦ୍ର

‘‘ଦୁହେଁ ଅଟ ଏକାକାର

ସ୍ପରଶେ ହରଣ            କର ନିମିଷେକେ

ଶରୀରୁ କ୍ଳାନ୍ତି ଅପାର ।

 

ବିଷ୍କିର ମିଥୁନ            ପରି ହୃଦ ପରେ

ବହ ବେନି ପୟୋଧର

ତବ ଅଙ୍ଗ ଶୋଭା            ପରି ମନଲୋଭା

ଏ ବିମଳ ସର ନୀର ।

 

ପୂରିତ ତୋ ଦେହେ      ହାର କେୟୁରାଦି

ଜଳଚରେ ଏ ପୂରିତ

ସାରସେ ଭ୍ରମର            ପରି ମୁଖାମ୍ବୁଜେ

ଏଥେଁ କିଏ ମଧୂବ୍ରତ ?’’

 

ଏତେ ଭାଷି ନୃପ            ପ୍ରେୟସୀର ପ୍ରତି

ଚାହିଁଲେ ବହି ପ୍ରମୋଦ

ପ୍ରମୋଦେ ପ୍ରମୋଦା      ଜଳରୂହ ରୁଚି

କରେ କଲା କାନ୍ତେ ବଦ୍ଧ ।

 

କମଳ ଭ୍ରମରେ            ତେଜିଣ ଭ୍ରମରେ

ଭ୍ରମରେ ହୋଇ ହରଷ

ମଦାଳସୀ ମୁଖ            କମଳେ ରଭସେ

ବସିବାକୁ କଲେ ଆଶ ।

 

ତରଙ୍ଗ ସୁତୁଙ୍ଗ            ତରଙ୍ଗେ କମ୍ପିତ

ହୋଇବାରୁ କମଳିନୀ

ଭୟେ ଆଳିଗଣ            ବାହାରି ମଧୂରେ

ବିହିଲେ ଆଳାପ ଧ୍ୱନି ।

 

ଏହିରୂପେ ନାନା            ହାବେ ନିମଜ୍ଜିଣ

ଘନରସେ ନାରୀ ପୁଂସ

ମହେନ୍ଦ୍ର ସଂପଦ            ମଣୁଥିଲେ ତୁଚ୍ଛ

ସେ କାଳେ ନୃପତି ଈଶ ।

 

ବହୁକାଳ ଜଳ            କ୍ରୀଡ଼ା ଅନନ୍ତରେ

ବେଳାରେ ଉଠିଣ ବୀର

ସଦ୍ୟସ୍ନାତା ବାମା            ସହିତ ବିମାନେ

ଚଳିଲେ ଆରାମ ପୁର ।

 

ଏକାଳେ ଅରୁଣ            ସନ୍ଧ୍ୟାରାଗ ପାଇ

ହେଲେ ଅରୁଣ-ବରନ

ରବିକର ଅପ-            ସୃତ ସ୍ଥାନ ହେଲା

କ୍ରମେ ଅନ୍ଧକାରାଚ୍ଛନ୍ନ ।

 

ବିହାୟସେ ଉଡ଼ି            ଉଡ଼ି ବିହାୟସେ

କଲେ ସୁମଧୁର ରୁତ

କ୍ରମଶଃ କାଳିମା            କଲା ଆଚ୍ଛାଦନ

ମିହିର ଅଂଶୁ ରୋହିତ ।

 

ସାଗରେ ବୋଇତ            ପରି ବାରିବାହ

ଭାସିଲେ ଅମ୍ବର ପଥେ

ଅର୍ଣ୍ଣବୁ ଶଶାଙ୍କ            ହୋଇ ସମୁତ୍ଥିତ

ଶୋହେ ତାରାଗଣ ସାଥେ ।

 

ଶଶାଙ୍କ ଲାନ୍ଥନ            ଶଶାଙ୍କ ଦର୍ଶନେ

ବିରହୀ ହେଲେ ଅକ୍ଷମ

ସର୍ବତ୍ର ବେଷ୍ଟିତ            ସର୍ବରୀଶ କରୁ

ହେଲା ହିମ କଣା ଜନ୍ମ ।

 

ଜନ୍ମାଇଲା ନବ            ନବ ଅନୁରାଗ

କମଳିନୀ ହୃଦେ ଶଶୀ

ଶିଶିର କଣିକା            ପ୍ରଦାନେ ପ୍ରିୟାର

ଫୁଟାଇଲା ମୁଖ-ଶଶୀ ।

 

ଶମ୍ଭୁଆଳେ କମ୍ବୁ            ଡାକେ ଘନ ଘନ

ଶୁଭେ ଘଣ୍ଟି ଘଣ୍ଟା ସ୍ୱନ

ନର ନାରୀ ଘେନି            ସୁତା ସୁତେ ଗଲେ

ଆରତି କରି ଦର୍ଶନ ।

 

ନିବେଦିଲେ ବନ୍ଦି            ଇଷ୍ଟଦେବ ପଦ

ନିଜ ନିଜର ବୃତ୍ତାନ୍ତ

କେ ଜାଣିଛ କାର            କର୍ମପଟେ କେବେ

ସ୍ପର୍ଶିବ ବିଧାତା ହସ୍ତ ।

 

ତ୍ରିପୁର ମୋହିନୀ            ରସିକାଗ୍ରଗଣ୍ୟା

ଦମୟନ୍ତୀ ନାରୀ ରତ୍ନେ

ଅଙ୍କେ ଦିବା ନିଶି            ଘେନି ନୃପବର

ବିହରିଲେ ଅତି ଯତ୍ନେ ।

 

ଯଥାକାଳେ ଭୈମୀ      ଉଦରୁ ସଂଜାତ

ଇନ୍ଦ୍ରସେନା ଇନ୍ଦ୍ରସେନ

ରୂପେ ଗୁଣେ ଦୁହେଁ      ଅଚିରେ ହୋଇଲେ

ଜନକ ଜନନୀ ସମ ।

 

ରାଜପୁରୀ ସଦା            ହେଲା ମୁଖରିତ

ଆନନ୍ଦସୂଚକ ରବେ

ଶଶିକଳା ପରି            ସୁତା ସୁତ ବେନି

କ୍ରମେ ବିରାଜିଲେ ଭବେ ।

 

କାପଟ୍ୟରହିତା            ଭୈମୀ ସୁହାସିନୀ

ସର୍ବ ମତେ ସ୍ୱାମୀ ମନ

କରିଲେ ହରଣ            ପ୍ରଣୟେ ନିମଜ୍ଜି

ନାଶି ରାଜ୍ୟ ଦୁଃଖ ମାନ ।

 

କଳିକୃତ ନାନା-            ବିଧ ଅତ୍ୟାଚାର

ଯାଏଁ ନିଷଧରାଜନ

ସୁତା ସୁତ ପତ୍ନୀ            ସଙ୍ଗେ ହରଷରେ

କରିଲେ କାଳ ହରଣ ।

 

ଏକାଦଶ ବର୍ଷ            ପୁତ୍ରାଦପି ପ୍ରଜା

ପାଳିଲେ ଶୁଭେ ନୃପତି

ଧନ୍ୟ ଧନ୍ୟ ଧନ୍ୟ            ହେଲା ଜନଶ୍ରୁତି

ଉଲ୍ଲସି ଉଠିଲା କ୍ଷିତି ।

 

Unknown

ତୃତୀୟ ସର୍ଗ

ଭୈମୀ ସ୍ୱୟମ୍ବର            ପରେ ଦେବତାୟେ

ପୁରନ୍ଦର ପୁରସର

ଯାନ୍ତେ ପଥ ଘେନି            ହେଲେ ସମାଗତ

କଳି ସହିତ ଦ୍ୱାପର ।

 

ତହୁଁ ବଜ୍ରଧର            ହୋଇ ଅଗ୍ରସର

ପୁଚ୍ଛନ୍ତେ ଆଗମବାର୍ତ୍ତା

କଳି ବୋଲେ ‘‘ଦେବ      ହେଉ ଅବଧାନ

ଜଗତ ତାରଣକର୍ତ୍ତା ।

 

ତ୍ରିପୁର-ମୋହିନୀ            ଲକ୍ଷ୍ମୀରୂପେ ଭୈମୀ

ଜାତ ବିଦର୍ଭ ନଗରେ

ତାର ଲାଭ ଇଚ୍ଛା            ସ୍ଥାପି ହୃଦଗତେ

ଯାଉଅଛୁ ସ୍ୱୟମ୍ବରେ ।

 

ମର ମରଲୋକ            ହୋଇଛି ମହତ

ସେ ରୂପସୀ ପଦ ସ୍ପର୍ଶେ’’

ଶ୍ରବଣେ ଏସନ            ସ୍ୱପର୍ବାଣ ସର୍ବେ

ଭାଷି କ୍ରୀଡ଼ାଯୁକ୍ତ ହାସେ ।

 

‘‘ଉମା ତୁଲ୍ୟା ଭାଗ୍ୟ-      ବତୀ ଦମୟନ୍ତୀ

ସ୍ୱୀୟା ପ୍ରତିବ୍ରତା ଗୁଣେ

ପୂର୍ବେ ସତ୍ୟ କରି            ବରିଛି ନିର୍ଭୟେ

ନଳ, ନିଷଧ ରାଜନେ ।

 

ସ୍ୱୟମ୍ବର ସ୍ଥଳେ            ଯିବା ଅନୁଚିତ

ବାମା ଲାଭ ଦୂର କଥା’’

ଦେବଗଣ ସହ            ଏତେ ଭାଷୁ ବଜ୍ରୀ

କଳି ଲଭି ମନେ ବ୍ୟଥା ।

 

ସ୍ୱକୀୟ ସ୍ୱଭାବ            ଦୋଷେ ସେହିକ୍ଷଣି

କ୍ରୋଧେ ହୋଇ ପ୍ରଜ୍ୱଳିତ

ବାସବ ବଚନ            ନ ଘେନି ବିହିଲା

ଦାରୁଣ ଅଭିସଂପାତ ।

 

‘‘ଅଭିମାନିନୀ ସେ            ପ୍ରବଳ ପ୍ରତାପୀ

ଦେବେ ଦେଇ ଅପମାନ

ଦୁର୍ବଳ ଘୃଣିତ            ମାନବେ ଆସକ୍ତ

ହୋଇଛି ଯେଉଁ କାରଣ ।

 

ସେହି ଅପମାନେ            ଦେଲି ଅଭିଶାପ

ଘାରି ହୁଏ ଯେଣୁ ଅଙ୍ଗ

ନବଲତା ତରୁ            ପରି ସେ ଅଚିରେ

ତେଜିବ ପତିର ସଙ୍ଗ ।’’

 

ଏତେ ଭାଷି କଳି            ଦେବଗଣେ ତେଜି

ଗଲା ମାର୍ଗ ଅନୁସରି

ଦ୍ୱାପର ସହିତ            ନିଷଧରାଜର

ନାନା ଅନିଷ୍ଟ ବିଚାରି ।

 

ଦିବସ ରଜନୀ            ଆନଭାବ ତେଜି

ପ୍ରତିହିଂସା ନେବା ପାଇଁ

ବୁଲନ୍ତେ ବିମନେ            ଏକାଦଶ ବର୍ଷ

ଏହିମତେ ଗଲା ବହି ।

 

ଚେଷ୍ଟାର ଅସାଧ୍ୟ            ନାହିଁ କିଛି ଭବେ

ଜାଣି କଳି ଦୁରାଚାର

ନୃପ ଛିଦ୍ର ଖୋଜି-            ବାରେ ପଶ୍ଚାତ୍ପଦ

ନୋହିଲା ଘେନି ଦ୍ୱାପର ।

 

ହେଳେ ମନୋମତ            ପଥ ଲଭି କ୍ରୂର

ନରେଶ ଅଙ୍ଗେ ପ୍ରବେଶ

ହୋଇଣ ସଭୟେ            ନାନାଦି ବିକାର

କ୍ରମଶଃ କଲା ପ୍ରକାଶ ।

 

କ୍ରୀଡ଼ା ପୁତ୍ତଳିକା            ଅଚିରେ ହୋଇଲେ

କଳି ହସ୍ତେ ନରପତି

ସ୍ୱାମୀର ଏସନ            ଅବସ୍ଥା ଦେଖିଣ

ଚିନ୍ତାକୁଳମତି ସତୀ

 

ରାଜକାର୍ଯ୍ୟେ ବୀର      କଲେ ଅବହେଳା

କରି ଅନ୍ୟାୟ ବିଚାର

ଯେତେ ଅନୁନୟ            କରେ ସତୀମଣି

ନ ଘେନନ୍ତି ନୃପବର ।

 

ଦମୟନ୍ତୀ ପାଶେ            ଥିବା ଯାଏ ନୃପ

କଳି ପାଉଥାଇ ଭୟ

ଭାବୁଥାଏ ମନେ            ଜାଣିଲେ ସାଧବୀ

ଏଠାରେ ଧ୍ରୁବ, ବିଳୟ ।

 

କଲା ସଦା ଚେଷ୍ଟା            ରଖିବାକୁ ଦୂରେ

ବୈଦର୍ଭୀ ପାଶୁ ରାଜନେ

ଦମୟନ୍ତୀ ପାଶେ            ରହିବାକୁ ନୃପ

ସଦା ନ ଇଚ୍ଛିଲେ ମନେ ।

 

ଦିନେ କଳିବଶେ            ମହିଷୀ ଅଜ୍ଞାତେ

ପୁଷ୍କର ସହିତ ବୀର

କରି ଦ୍ୟୁତକ୍ରୀଡ଼ା            ପଣ ରଖି, ହାରି

ଯାଉଥିଲେ ବାର ବାର ।

 

କ୍ରୀଡ଼ାସକ୍ତ ନୃପ            ହାରିଲେ କ୍ରମଶ

ଦାସ ଦାସୀ, ଧନ, ବଳ

ହାରିଲେ ଆବର            ପ୍ରିୟ ରାଇଜକୁ

ସହିତ ପ୍ରଜା ସକଳ ।

 

ଅଙ୍ଗ ଆଭରଣ            ସହିତ ହାରିଲେ

ସର୍ବ କଳି ପ୍ରରୋଚନେ

ହାରିଥିଲେ ଯେହ୍ନେ            ପ୍ରଥମ ପାଣ୍ଡବ

ସର୍ବସ୍ୱ କୌରବ ସନେ ।

 

ଯଥାକାଳେ ଭୈମୀ      କଞ୍ଚୁକୀ ମୁଖରୁ

ରାଜନ ସନ୍ଦେଶ ପାଇ

ବିଷଣ୍ଣେ ପେଶିଲେ      ଖରତରେ ପିତ୍ରା-

ଳୟେ ସୁତା ସୁତ ଦୂଇ ।

 

ତେଜି ଅମଳାନ            ବାସ, ପରିଧାନ

କଲେ ସାମାନ୍ୟ ବସନ

ଶୂନ୍ୟ କଲେ ଦେହୁ      ସର୍ବ ଆୟମାନ

ତ୍ୱରିତ ସାଧ୍ୱୀ ରତନ ।

 

ଦେହଳୀ ଧରିଣ            ହେଲେ ଆସି ଉଭା

ସତୀ ଆଳିଗଣ ସହ

ଭାବୁଥିଲେ ହୃଦେ            ଏ ଅନ୍ତେ ଫିଟିବ

ଜୀବନ ନବ ପର୍ଯ୍ୟାୟ ।

 

ଏଣେ ଅନୁପମ            ଉକତି ପୁଷ୍କର

କରି ହରିଲା ସର୍ବସ୍ୱ

ନୃପବର ଅଙ୍ଗୁ            ହାର କେୟୁରାଦି

ଉଷ୍ଣୀଷ ଅମୂଲ୍ୟ ବାସ ।

 

କରି ବିଧୂରତା            ରାଜଭୂତି ତ୍ୱରା

ବିମନେ ବୈଦର୍ଭୀ ପାଶେ

ପ୍ରବିଶନ୍ତେ ନୃପ            ଦେଖିଲେ ସଜ୍ଜିତା

ପୂର୍ବୁ ସହଯାତ୍ରୀ ବେଶେ ।

 

ଲଳନା ଲଳାମ            ପୂରିଲା ନୟନ-

ଯୁଗଳ ଜଳେ ନୃପର

ଦେଖି ସତୀ କହେ            ‘‘ପରବାସେ ନାଥ

ରହିବା ଅନ୍ୟାୟ ଘୋର ।’’

 

‘‘କାହିଁଛନ୍ତି ମୋର            ସୁତା ସୁତ ବେନି

ପୁଚ୍ଛନ୍ତେ ଖେଦେ ରାଜନ ’’

ବଦତି ମହଷୀ            ‘‘ବହୁକାଳୁ ଦେବ

ଗଲେଣି ପିତୃ ସଦନ ।’’

 

ତହୁଁ ବହୁ କଷ୍ଟେ            ନିବର୍ତ୍ତାଇ ପ୍ରିୟ

ପ୍ରଜାବର୍ଗେ ପୁରଜନେ

ବିରଥୀ ହୋଇଣ            ତେଜିଲେ କଟକ

ନୃପତି ପ୍ରେୟସୀ ସନେ ।

 

ରାଜମାର୍ଗେ ଯାଇଁ            ପଦଗେ ହୋଇଲେ

ଅମଗ୍ୟ ବନେ ପ୍ରବେଶ

ଶ୍ରୀ ହୀନ କରିଣ            ନିଷଧ ରାଇଜ

ସହିତ ପରଜାବଂଶ ।

 

ବିନାଶନେ କ୍ଳିଷ୍ଟ            ରାଜସୁତା ମୁଖ

ବିଲୋକି ନିଷଧରାଣ

ବାଚାଳ ପରାୟେ            ସଂଚରି ବିପିନେ

କାତରେ କଲେ କ୍ରନ୍ଦନ ।

 

ସାଧ୍ୱୀ ପତିବ୍ରତା            ମୁକୁଟ ରତନ

ଦମୟନ୍ତୀ ସ୍ୱଗତରେ

ଭାବନ୍ତି, ‘‘ଲଲାଟ            ଲେଖନ ଲଙ୍ଘନ

କିଏ ଅବା କରିପାରେ ?

 

ମିତ୍ରବଂଶେ ଜାତ            ପିତା ଦଶରଥ

ବୀରେନ୍ଦ୍ର ବୃନ୍ଦଅଗ୍ରଣୀ,

ଅନୁଜ ସୌମିତ୍ରି,            ନରର୍ଷି ନନ୍ଦିନୀ,

ପତିବ୍ରତା ପ୍ରଣୟିନୀ ।

 

ପ୍ରତ୍ୟେକ୍ଷେ ବିଷ୍ଣୁଙ୍କ            ଅବତାର ଭବେ

ଦୋର୍ଦ୍ଦଣ୍ଡେ ପୃଥିବୀ ଖ୍ୟାତ

ଏବଂଭୂତ ରାମ             ନିଜ ଭାଗ୍ୟ ଦୋଷେ

ବନେ ହେଲେ ନିର୍ବାସିତ ।

 

ନାନାଦି କଷଣ            ପତ୍ନୀ ନିର୍ବାସନ

ସହିଲେ କର୍ମ ଆଦରି

ମର୍ତ୍ତ୍ୟବାସୀ କଥା            କେଉଁ ଥିରେ ଲେଖା

ଏ ମର ଶରୀର ଧରି ।

 

ଏସନ ବିଚାରି            ବନବାସ ନେତ୍ରେ

ବୈଦର୍ଭୀ କହେ ବଚନ

‘‘ମୋ ରାଣ, ମୋ ରାଣ            ନ କର କ୍ରନ୍ଦନ

ଶିଶୁ ପ୍ରାୟ ପ୍ରାଣଧନ ।

 

ଶ୍ରୀମୁଖ ମଳିନ            ଦିଶେ ବେଳୁବେଳ

ବିମର୍ଶ ତନୁ ସୁଠାମ

କହ ପ୍ରିୟତମ            ଦାସୀଠାରେ କିବା

କରିଅଛି ଅଭିମାନ ।’’

 

ଏ ବାଣୀ ଶ୍ରବଣେ            ଅଙ୍କେ ପଙ୍କେରୁହ-

ଈକ୍ଷଣୀ ଘେନି ରାଜନ

ଦ୍ୱି ଗୁଣ ବିଳପି            ବାଷ୍ପାକୁଳ ନେତ୍ରେ

ଚାହିଁଣ କଲେ ଭାଷଣ ।

 

‘‘ପ୍ରିୟେ, ଆଜନମ            ସୁଖିନୀ, ବୈଦର୍ଭୀ

ରାଜସୁତା, ରାଜରାଣୀ,

ଲଭିଛି ଏ ଦଶା            ଦେଖି ଉଡ଼େ ହଂସା

ବଦନୁ ନ ସ୍ଫୁରେ ବାଣୀ

 

କାଲି ଯେଉଁ ନାରୀ      ଆଜ୍ଞା ଅନୁସରି

ଥିଲେ ଶତ ସେବାକାରୀ

ଆଜି ସେ ଲଳନା            ବୁଲେ ବନଭୂମେ

ଭିକାରୁଣୀ ବେଶ ଧରି ।

 

ଘର୍ମାକ୍ତ ଶରୀର            ପୁନଃ ନିରାହାରେ

ତିକ୍ତ କଷା ବନ ଫଳ

ଖାଇ ପହୁଡ଼ଇ            କିଶଳୟ ଶେଯେ

ଆଶ୍ରିଣ ପାଦପ ତଳ ।

 

ବୁଦ୍ଧିଭ୍ରଂଶ ହୋଇ            ସୁରବୃନ୍ଦେ ତେଜି

ସହିଲୁ ଏ କଷ୍ଟମାନ

ଦ୍ୟୂତକ୍ରୀଡ଼ା ଛଳେ            ପୁଷ୍କର ସିନା ସେ

ଦେଲା ଏ ଗୁରୁ କଷଣ ।’’

 

ଶ୍ରବଣେ ଏ ବାଣୀ            ବାଚିକା ବୈଦର୍ଭୀ

ସୁଖ ଦୁଃଖ ଦାତା ଜଣେ

ନାହିଁ ଏ ସଂସାରେ            ସରବେ ଆବଦ୍ଧ

କରମ-ସୂତ୍ର ବନ୍ଧନେ ।

 

ବିହି ଯାହା ଲିହି            ଥିବ ଭାଲେ ନାଥ !

ଫଳିବ ତାହା ନିକର

ହରି ହର ବ୍ରହ୍ମା            ସହ ଦେବଗଣ

ଅକ୍ଷମ ତା ଲଂଘିବାର ।

 

ଜାମାତା ପୁରୁଷ-            ଅନଘ, ଇନ୍ଦିରା

ସ୍ୱୟଂ ଯାର, ମନୋହାରୀ,

ବାର୍ତ୍ତିକ କୌଶିକ,            ପୁରୋଧା ବଶିଷ୍ଠ,

ଜନକ ପ୍ରଦାନକାରୀ ।

 

ପରିଣୟ କାଳେ            ଗ୍ରହମାନେ ସର୍ବେ

ଥିଲେ ଏକାଦଶ ସ୍ଥାନେ

ତଥାପି ଶ୍ରୀରାମ            ଭାଗ୍ୟ ନିବନ୍ଧନେ

ପ୍ରେରିତ ହେଲେ କାନନେ ।

 

ଚତୁର୍ଦ୍ଦଶ ବର୍ଷ            ବନବାସ କଷ୍ଟ

ସହ ସତୀ ନିର୍ଯ୍ୟାତନ

ସହିଲେ ସ୍ୱକର୍ମ            ଦୋଷରୁ ଭୋ ନାଥ !

ଅଜ୍ଞାତ ନୁହେ ଏ ମାନ ।

 

ପୟଃପେଟୀ ମଧ୍ୟେ            ସ୍ଥିତ ନୀରବତ୍‌

ନର ଭାଗ୍ୟ ନାଥ ! ସଦା

ପରିବର୍ତ୍ତନର            ସମୟ ତାହାର

ନ ହୁଅଇ ବାରି କଦା ।

 

କେହି କହି ନାହିଁ            କହିବ ନାହିଁଟି

ଅଦୃଶ୍ୟ ମଙ୍ଗଳ ହସ୍ତ

ବିଶ୍ୱ ନିୟନ୍ତାର            କେବେ ସ୍ପରଶିବ

କାହାର ଲଲାଟ ପଟ ।

 

ଭାଗ୍ୟ ଗଢ଼ା ସ୍ଥାନ            ଅତୀବ ଅଗମ୍ୟ

ତ୍ରିଦଶ ଚକ୍ଷୁ ଅସାଧ୍ୟ

ଭଗ୍ନ ସଂଯୋଯନ            କାର୍ଯ୍ୟେ ବିଚକ୍ଷଣ

କାଳ; ଆନେ କାହିଁ ସାଧ୍ୟ ?

 

କୁରାଳ ପରାୟେ            ଭାଙ୍ଗି ଦେଉଥାଏ

ପୁନଃ ପୁନଃ ଦିଏ ଗଢ଼ି

ଯୋଯନ ଭଗନ            କାର୍ଯ୍ୟ କରୁଥାଏ

ହରଘଡ଼ି ଲାଗି ପଡ଼ି ।

 

ଜାଣ ପ୍ରାଣନାଥ            ତୁହିନେ, ପଙ୍କିଳେ

ଯେତେ ଗୁପ୍ତେ ଥାଏ ପଦ୍ମ

ଦୁଃଖ ଘନ କୋଳେ      ଆନନ୍ଦ ଶଶାଙ୍କ

ତେହ୍ନେ କରିଥାଏ ସଦ୍ମ ।

 

ଦୁଃଖର ଅନ୍ଧାର            ଘୋଟିଥାଏ ଯହିଁ

କାଳଚକ୍ର ଆବର୍ତ୍ତନେ

ସୁଖର ତରଙ୍ଗ            ଖେଳି ଚାଲିଯାଏ

ପଲକମାତ୍ରକେ ତେଣେ ।

 

ତୁମେ ହେଲେ ପ୍ରିୟ      ରାଜରାଜେଶ୍ୱର

ମୁହିଁ ସିନା ରାଜରାଣୀ

ଭିକାରୀ ସମାନ            ତୁମେ ହେଲେ, ଦାସୀ

ନୋହିବ କି ଭିକାରିଣୀ ?

 

ଗୋଲାପ ଲତିକା            ତୁମେ, ମୁଁ କଳିକା

ପରି ପରା ସଦାକାଳେ

ତବ ମଳିନତା            ସଙ୍ଗେ ମଳିନତା

ଭଜିବ ନାହିଁକି ହେଳେ ?

 

ତବ ପଦ ସେବା            ମୋର ଧର୍ମ କର୍ମ

ସେହି ଏକା ମୋର ଗତି

ସେ ସେବା ସୁଖର            ସଙ୍ଗେ ମୁଁ ନ ମଣେ

କୋଟି ଶଚୀପତି ଭୂତି ।

 

ଏହିରୂପେ ନାନା            କଷ୍ଟ ସହ୍ୟ କଲେ

ନୃପ, ବାଳୀ ପ୍ରୀତିମନ୍ତ

ସୁରଙ୍ଗ କୁରଙ୍ଗ            ନୟନ ତରଙ୍ଗ

ଶାନ୍ତି ଦେଉଥିଲା ମାତ୍ର ।

 

ପତିବ୍ରତା ସାଧ୍ୱୀ            ଦମୟନ୍ତୀ ଅଙ୍ଗେ

କଳି ପ୍ରବେଶେ ଅକ୍ଷମ

କଣ୍ଟକ ଅଗମ୍ୟ            ବିପିନେ ଯେସନେ

ପଶି ନ ପାରନ୍ତି ଜନ ।

 

ଦିନେ ସେ ବିଜନେ      ପତି ସହ ବୁଲୁ-

ବୁଲୁ ଭୀମସେନ ସୁତା

ବିଦୂରେ ମରାଳ-            ଯୂଥ ଦେଖି ଲାଭ

ଆଶେ ହେଲେ ଉତ୍କଣ୍ଠିତା ।

 

ଜାଣି ତାହା ନଳ            କଳି ବଶୁଁ ଭ୍ରମେ

ଅସ୍ତ୍ର ତେଜି ବସ୍ତ୍ର ପ୍ରାନ୍ତ

ମରାଳେ ପିଙ୍ଗନ୍ତେ            ଝିଙ୍କି ତାହା ଖରେ

ହରିଲେ ମରାଳଯୂଥ ।

 

ଉଲଗ୍ନ ପତିକୁ            ଦେଖି ବାଳାମଣି

କର ମାରି ଲଲାଟରେ

ପତି ଅଙ୍ଗ ଛାଇ            କରିଲେ ତକ୍ଷଣ

ନିଜ ବାସ ଅର୍ଦ୍ଧକରେ ।

 

ଦିନୁ ଦିନୁ ଦୁଃଖ            ବଢ଼େ ଅତିରେକେ

ନ ଘେନିଲା କିନ୍ତୁ ପ୍ରାଣ

ନାନା ଉପାୟରେ            ଦୁରାଚାର କଳି

ମୋହିଲା ନରେନ୍ଦ୍ର ମନ ।

 

ଏକଦା ନିଶିଥେ            ଲତିକା ବିତାନେ

ସୁସୁପ୍ତା ପତ୍ନୀକୁ ଘେନି

କୋଳେ ନରନାଥ            କ୍ରୂର କଳି ବଶେ

ମାନସେ ହୋଇଲେ ଗୁଣି ।

 

‘‘କାହିଁ ଗଲେ, ସୁତ      ସୁତା, ପ୍ରଜାବର୍ଗ

କାହିଁ ରାଜ ସିଂହାସନ

ଅଳୀକ ସ୍ୱପନ            ପରାୟ ସେ ସର୍ବ

ଅଧୁନା ପ୍ରତୀୟମାନ ।

 

*ତୁରଙ୍ଗମ ଗତି            ଘନ ଗରଜନ

ରୂପସୀଙ୍କର ଚରିତ୍ର

ନର ଭାଗ୍ୟଲିପି            ବୃଷ୍ଟି ସୁରଗଣ

ବଦିବାକୁ ଅସମର୍ଥ ।

 

* ଅଶ୍ୱପୁତଂ ମାଧବ ଗଜତଂ ଚ, ସ୍ତ୍ରୀୟଶ୍ଚରିତ୍ରଂ ପୁରୁଷସ୍ୟ ଭାଗ୍ୟଂ

ଅବର୍ଷଣପାପ୍ୟତିବର୍ଷଣଞ୍ଚ, ଦେବା ନ ଜାନନ୍ତି କୁତୋ ମନୁଷ୍ୟାଃ ॥

କାଳିଦାସ

 

ନୁହେଁ ମୁ ନିଶ୍ଚିନ୍ତ            ଯେସନେ ସମ୍ପ୍ରତି

ଆଣିଛି ଏ ନାରୀମଣି

ସଙ୍ଗେ ସଙ୍ଗେ ପଦେ      ପଦେ ମୁଣ୍ଡାଇଛି

ସହସ୍ର ବିପଦ ଖଣି ।

 

ଦେହ ମନ ବଳ            ହେଲାଣି ଅବଳ

ପ୍ରାଣ ଥାଇ ପ୍ରାଣହୀନ

ମାର୍ଗଣ କମାଣ            ନାହିଁ ନିବାରିବି

ଶତ୍ରୁ କଲେ ଆଗମନ ।

 

ହେଉଛି ସନ୍ଦେହ            ମନେ ଅହରହ

ଏ ରମଣୀରତ୍ନେ ଦେଖି

ମମ ପ୍ରାଣ ବୀରେ            ନାଶି ନିମିଷେକେ

ବାମା ଲଭି ହେବେ ସୁଖୀ ।

 

ସମୀପରୁ ମୋର            ପତ୍ନୀର ହରଣ

ଦେଖିବାର ପୂର୍ବୁ ଶତ-

ଗୁଣେ ଶ୍ରେୟସ୍କର            ହେବାର ଅନ୍ତର

ଏ ସ୍ଥଳୁ ହୋଇ ନିଶ୍ଚିନ୍ତ ।

 

ବିବସ୍ତ୍ର ହୋଇ             ଯିବି ମୁଁ କେସନେ

ଏତେ ଭାଳି ପୁନଃ ବୀର

ଅର୍ଦ୍ଧବସ୍ତ୍ର ତେଜି            ଅର୍ଦ୍ଧବସ୍ତ୍ରେ ଯିବା

ଆଶେ ହେଲେ ତତପର ।

 

‘‘ଜାଗିଲେ ସାଧବୀ            ନ ଛାଡ଼ିବ କେହ୍ନେ

କାଟିବି ଅର୍ଦ୍ଧବସନ’’

ଏତେ ଭାଷି ନୃପ            ଦେଖିଲେ କଟାରୀ

ହୋଇଛି ଅଗ୍ରେ ପତନ ।

 

ବିଧି ପ୍ରତିକୂଳ            ଜାଣି ଅନୁକୂଳ

କଳିବଶ ନରରାଜ

ପ୍ରିୟା ବସ୍ତ୍ର ପ୍ରାନ୍ତ            କାଟିଲେ ତ୍ୱରିତ

ମନେ ବହି ନବ ତେଜ ।

 

ଅସହାୟା ପୁନଃ            ନିଦ୍ରୀତା ପତ୍ନୀକୁ

ତେଜ୍ୟା କରି ଅର୍ଦ୍ଧବାସେ

ବୀର ଅରିନ୍ଦମ            ନିଷଧ ରାଜନ

ଚଳିଲେ ବନେ ରଭସେ ।

 

କୁରୁବକ କଣ୍ଟା            ଫୁଟି ପଦଯୁଗେ

ଦିଅଇ ଦାରୁଣ ବ୍ୟାଥା

ଅନଶନେ ଦେହ            ହୁଏ ଅବସନ୍ନ

ବଦନୁ ନ ସ୍ଫୁରେ କଥା ।

 

ପୂର୍ବ ଜନ୍ମ କୃତ            କର୍ମ ଦୋଷେ ରାଜା

ପାଇଲେ ଦୁଃସହ ଦୁଃଖ

କାଲି ଯେ ସଦ୍ୱୀପା      ଅବନୀର ପତି

ଆଜି ସେ ମାର୍ଗଣେ ଲେଖ ।

 

ପୁରୋଧା ପାଳିତ            ସୁଦ୍ରୁମୈ ଶୋଭିତ
ଖାଣ୍ଡବ ବନ ଦହନ

କଲେ ସବ୍ୟଶାଚୀ,            ସ୍ୱର୍ଣ୍ଣମୟୀ ଲଙ୍କା

ଦଗ୍ଧକଲା ହନୁମାନ ।

 

ପିନାକ ଧାରଣ            ଦେବ ଶ୍ରୀ ଈଶାନ

ଦଗ୍ଧ କଲେ ପଞ୍ଚଶରେ

ଜନତା ବଇରି            ଦାରିଦ୍ର୍ୟକୁ ଭବେ

କିଁପା କେ ଦଗ୍ଧ ନ କରେ ?

 

ପ୍ରଜ୍ଜ୍ୱଳିତ ଦାବା-            ନଳ ସନ୍ନିଧାନେ

ବିଭ୍ରମୁଁ ହୋଇ ପ୍ରବେଶ

ଦେଖିଲେ ନରେନ୍ଦ୍ର            ଅସହାୟ ଭାବେ

ବୈଶ୍ୱାନରେ ଦ୍ୟନ୍ତି ଝାସ ।

 

ଅତୀବ କାତରେ            ପଶୁ ପକ୍ଷୀଗଣ

ସହ ମହୀରୁହରାଶି

ସେ ଦୃଶ୍ୟ ଦର୍ଶନେ      ଅଗ୍ରେ ପଦ କ୍ଷେପେ

ଅସମର୍ଥ ନୃପଶଶୀ ।

 

ଶୋକାଶ୍ରୁ ପୂରିତ            ନେତ୍ରେ ବ୍ୟାକୁଳିତ

ଉଦଭ୍ରାନ୍ତ ପ୍ରାଣ ହୋଇ

ଦଣ୍ଡେ ଠିଆ ହୋନ୍ତେ      ଶୁଣିଲେ ନରେନ୍ଦ୍ର

ଅନଳେ ବିଳାପେ କେହି ।

 

‘‘ନିରେଖି ନୟନେ            କାଳ ଦାବାନଳ

ପିଣ୍ଡୁ ପ୍ରାଣ ଯାଏ ଛାଡ଼ି

ଅନାଥ ରକ୍ଷଣ            ନଳ ଏ ଅନାଥେ

ବେଗେ ନିଅ ଏଥୁଁ କାଢ଼ି ।

 

‘ରକ୍ଷାକର ଆସି            ରକ୍ଷାକର ଆସି’

ଶରଣ ମୁଁ ପଦତଳେ’’

ଅନୁଳାପ ଶୁଣି            ନିଜ ପ୍ରାଣେ ଭୂପ

ଜଳାଞ୍ଜଳି ଦେଇ ହେଳେ ।

 

ପ୍ରବେଶି ଚପଳେ            ଦେଖିଲେ ବୀରେନ୍ଦ୍ର

କର୍କୋଟକ ନାମେ ନାଗ

ପଡ଼ି ଦାବାନଳେ            କରଇ ଚିତ୍କାର

ଜୀବନାଶା କରି ତ୍ୟାଗ ।

 

ରଭସେ ତତ୍କାଳ            କର୍ତ୍ତବ୍ୟ ନିର୍ଣ୍ଣୟ

କରି କର୍କୋଟକେ ଘେନି

ସୁଦୂରେ ହରଷେ            ଛାଡ଼ନ୍ତେ ନିଶ୍ଚିନ୍ତେ

ଭୂମିପ କୁଳଅଗ୍ରଣୀ ।

 

କର୍କୋଟକ ନାଗ            ସ୍ମରି ହୃଦଗତେ

ଜୀବନଦ ଉପକାର

ରାଜନେ ଦଂଶନ            କରିଣ ଅଲକ୍ଷ୍ୟେ

କଲା ପ୍ରତି ଉପକାର ।

 

ସୁବର୍ଣ୍ଣ ସମାନ            ବପୁ ରାଜନଙ୍କ

କ୍ରମେ ହୋଇଲା ବିବର୍ଣ୍ଣ

ଦେଖି ନାଗ ଭାଷେ            ‘‘ମମ ପ୍ରସାଦରୁ

ସର୍ବ ଶୁଭ ହେବ, ରାଣ !

 

ତବ ତନୁ ବିଷ            ବେଦନା ପୀଡ଼ିତ

ନ ହୋଇବ କେତେବେଳେ

ଏ ସତ୍ୟ ବଚନ            ଧ୍ରୁବ କରି ଘେନ

ଏତେ ଭାଷି ଅବହେଳେ ।’’

 

ପ୍ରଦାନି ନରେନ୍ଦ୍ର            ରମ୍ୟ ବସ୍ତ୍ର ଯୁଗ

କହେ ପୁନଃ କର୍କୋଟକ

‘‘କରୁଛି କଲ୍ୟାଣ            ଅଚିରେ ରାଜନ

ନାଶ ହେବ କଳି କୋପ ।

 

ଯାର ଇର୍ଷା ବଶୁଁ            ବୈଦର୍ଭୀ ରମ୍ଭୋରୁ

ସୁତ, ରାଜଭୂତି ଆଦି

ତେଜିଛି, ତେଜିବ            ତୁମ୍ଭଙ୍କୁ ସେ ବଳେ

ସ୍ୱୀୟ ଅପରାଧ ଭଜି ॥

 

ଦମୟନ୍ତୀ ସଙ୍ଗ            ଲାଭ ଇଚ୍ଛା କଳି

ପାଞ୍ଚିଥିଲା ହୃଦଗତେ

ହେଲା ତାହା ପଣ୍ଡ            ସେଥିଯୋଗୁ ଦୁଷ୍ଟ

ବିହିଲା କଷଣ ଏତେ ।

 

ଦେଲି ମୁଁ ହରଷେ            ଯାହା ନରପତେ !

ଦୁର୍ଲ୍ଲଭ ଚିର ଯୁଗଳ

ନିରବଧି ସଙ୍ଗେ            ରଖିଲେ ସଯତ୍ନେ

କଳି ହୋଇବ ନିର୍ବଳ ।

 

ଦମୟନ୍ତୀ ସଙ୍ଗେ            ଯେବେ ହେବ ଭେଟ

ନ ପାରିଲେ ଚିହ୍ନି ସତୀ,

ପିନ୍ଧିବ ଏ ବାସ            ବଢ଼ିବ ସୌନ୍ଦର୍ଯ୍ୟ

ପୂର୍ବୁ ଶତେଗୁଣେ ଭାତି ।

 

କରେ ଅନୁନୟ            ଲଜ୍ଜା ତେଜି ଚଳି
ଋତୁପର୍ଣ୍ଣ ନୃପାଳୟେ

ସତୀ ଭେଟଯାଏ            କାଟୁଥାଅ କାଳ

ତନ୍ତ୍ରୀପାଳ ଭାବେ ରାୟେ ।’’

 

* ତବ ଏବ ଚରିତ            କୀର୍ତ୍ତନେ ଶ୍ରବଣେ

ଯେ ଜନ କରିବ ସ୍ନେହ

ମୋ ବାକ୍ୟ ନିଶ୍ଚୟ            କମଳା ତାହାର

ସର୍ବଦା କରିବେ ଶ୍ରେୟ ।

 

* ଯେ ଯଶସା କଲ୍ୟନ୍ତେ ଗୁଣୋଦୟୈର୍ଦଧତି ଭୁତି ସାକଲ୍ୟନ୍ତେ କାଳିଦାସ

 

ଯାବତ ଚନ୍ଦ୍ରାର୍କେ            ତବ ଏ ପବିତ୍ର

ଆଖ୍ୟାନ ଗାଇବ କ୍ଷିତି

ଗାଇବେ ସମୀର            ସହ ନଦ ନଦୀ

କଳକଳ ସ୍ୱନେ ନିତି ।

 

ଭାଟେ ଭିକ୍ଷା ଝୁଲି            ଧରିଣ ଗାଇବେ

ଦେଶୁ ଦେଶାନ୍ତରେ ବୁଲି

ଗାଇବେ ପଥିକେ            ପାରି ହେବା ବେଳେ

ତପ୍ତ ବୈତରଣୀ ବାଲି ।

 

କର୍କୋଟକ ନାଗ,            ନଳ ଦମୟନ୍ତୀ

ଋତୁପର୍ଣ୍ଣଙ୍କ ଆଖ୍ୟାନ

କୀର୍ତ୍ତନେ ନାଶିବ            କଳିତାପ କଳି

ଯୁଗେ ପ୍ରମାଣ, ପ୍ରମାଣ ।’’

 

ଏତେ ଭାଷି ନାଗ            ହେଲା ଅନ୍ତର୍ଦ୍ଧାନ

କଳି କଥା ଧରି ହୃହେ

ପଥ ଅନୁସରି            ଚଳିଲେ ରାଜନ

ଋତୁପର୍ଣ୍ଣଙ୍କ ପ୍ରସାଦେ ।

 

ତନ୍ତ୍ରୀପାଳ ଭାବେ            ନୃପ ଦ୍ୱାରା ନୃପ

ହେଳେ ହେଲେ ଅଧିଷ୍ଠିତ

ଗୁଣବନ୍ତ ଜନ            ସ୍ୱଦେଶେ ବିଦେଶେ

ସର୍ବଥା ହୁଏ ଆଦୃତ ।

 

ଗହନ ବିପିନେ            ରାଜନ ଯେ କ୍ଷଣେ

ବୈଦର୍ଭୀ ବିସର୍ଜି ଗଲେ

ବ୍ୟାପିଥିଲା ଚନ୍ଦ୍ର            ରଶ୍ମି ଚଉଦିଗେ

ସୁନୀଳ ଅମ୍ବର ତଳେ ।

 

ରଜନୀଶମୁଖୀ            ଦୁର୍ଦ୍ଦଶା ଦେଖିଣ

ଘନ କୋଳେ ରଜନୀଶ

ଲଜ୍ଜାବଶେ ଲୁଚି            ରହିଲେ ରଭସେ

ହୋଇଲା ଅନ୍ଧ ତାମସ ।

 

ଏକାଳେ ସହସା            ନିନ୍ଦ୍ରା ତେଜି ଉଠି

ବିଦର୍ଭ ରାଜକୁମାରୀ

ପତି ଅନ୍ତର୍ଦ୍ଧାନ            ବସନ ଛେଦନ

ପାରୁଷେ କାଳ କଟାରୀ ।

 

ଦେଖି ନୃପସୃତା            ବାତାହତ ରମ୍ଭା

ତରୁ ପ୍ରାୟ ଭୂମି ପରେ

ପଡ଼ିଲେ ରଭସେ            ସଂଜ୍ଞା ଲୋପ ହେଲା

ସୁନ୍ଦରୀର ଅତି ଖରେ ।

 

କେତେବେଳେ ସତୀ      ଚେତନା ଲଭିଣ

ସବେଗେ କଟାରୀ ଆଣି

ଶୋଣିତର ଚିହ୍ନ            ନ ଦେଖି ତହିଁରେ

ହୋଇଲେ ମାନସେ ଗୁଣି ।

 

‘‘ପତି ମୋର ନିଶ୍ଚେ      ଅଛନ୍ତି ଜୀବନେ’’

ଏତେ ଭାଷି ଭାଳି ପୁନଃ,

‘‘ଦସ୍ୟୁ କରେ ବନ୍ଦୀ’’      ‘‘ନା, ବୃଥା ଧାରଣା

ଦାସୀ ଯେଣୁ ଧରେ ପ୍ରାଣ ।

 

ଅଭିମାନେ କିବା            ଯାଇଛନ୍ତି ଚାଲି’’
ଏତେ ଭାବି ନୃପସୁତା

ଗହନ ବିପିନେ            ଏକାକିନୀ ରାତ୍ରେ

ଅନ୍ୱେଷଣେ ହେଲେ ରତା ।

 

ଭାଗୀରଥି କୂଳେ            ଲକ୍ଷ୍ମଣ ବର୍ଜିତା

ସୀତା ଭାବ ଅନୁସରି

ହିଂସ୍ର ଜନ୍ତୁଗଣେ            ନ କରି ଭ୍ରୂକ୍ଷେପ

ଖୋଜିଲେ ବିଳାପ କରି ।

 

‘‘ପାଦପଦ୍ମ ତଳୁ            ଦୟାର ଆଧାର

ସତେ କି କଲ ଅନ୍ତର

ଶ୍ରୀପଦ-ସେବିକା            ଶ୍ରୀପଦେ ଯେ ବିକା

ଆବାଲ୍ୟୁ ହେ ନରବର ।

 

ଦୋଷୀ ପ୍ରତି ଦଣ୍ଡ            ବିହିତ ସିନା ମୁଁ

କେଉଁ ଦୋଷେ ପଦେ ଦୋଷୀ

ସ୍ମରି ଯାହା ନାଥ            ଏକାକିନୀ ବନେ

ଦୂର କରି ଦେଲେ ଦାସୀ ।

 

ଶ୍ରୁତି ବିଶ୍ରୁତିରେ            ପାରଦର୍ଶୀ ପରା

ତୁମ୍ଭେ ଦେବ ଚିରଦିନ

ତବ ଧର୍ମ ପତ୍ନୀ            ମୁହିଁ(ତବ ବିନୁ

ନ ଜାଣଇ ଆନ ଜଣ ) ।

 

ଆଶ୍ରୟ ଏ କ୍ଷଣ            ଅଟଇ ଅରଣ୍ୟ

କହ ଦେବ ହୃଦେ ହେଜି

ଏ ଦୀନ ଅବସ୍ଥା            ଅନୁଭବି କେହ୍ନେ

ଗଲ ଏକାକିନୀ ତେଜି ?

 

ବୀରବେଶ ଯାର            ଦର୍ଶନେ ବିରସ

ହୁଅନ୍ତି ଅରାତିକୁଳ

ଯା’ ନାମ ଶ୍ରବଣେ            ଶତ୍ରୁ ଦୃଢ଼ମୁଷ୍ଠି

ହୁଅଇ ତ୍ଵରା ଶିଥିଳ ।

 

ଆଶ୍ରିତ ଜନକୁ            ଆଶ୍ରୟ ପ୍ରଦାନେ

ସଦା ଯେହୁ ତତପର

ମୋ ଦୁଃଖ ଦେଖିଣ            ହୃଦୟକୁ କେହ୍ନେ

କରିଛ ଏଡ଼େ ପଥର ।

 

ମଥା ହୁଏ ବ୍ୟଥା            କହି ନୋହେ କଥା

ଭାବିଲେ ତବ ବେଭାର

ବିସର୍ଜିବା ବେଳେ            ତିଳେ ନ କରିଲ

ନ୍ୟାୟ ଅନ୍ୟାୟ ବିଚାର ।

 

ଏହି ନିର୍ଯ୍ୟାତନା            ରୂପ ପାପ ତବ

କୃତ ନୁହେ ଜାଣେ ନାଥ !

ତ୍ରିଦିବ ଭିଆଣ            ଜାଣେ ମୁଁ ଏମାନ

ତୁମ୍ଭେ କ୍ରୀଡ଼ନକ ବତ ।

 

ଦେବ ଅପରାଧେ            ତୁମ୍ଭଙ୍କୁ ମୁଁ ଦୋଷୀ

ନ ଭାବିବି କେତେବେଳେ

ସତୀ ମୁଁ ଯଦି            ପତିଙ୍କର କିଛି

ନ ହେବ ଏ କୂଟ ଜାଲେ ।’’

 

ଏତେ କହି ସତୀ-            ଶିରୋମଣି ତହୁଁ

ହୋଇ ଅତି ସଂତ୍ରାସିତ

ଦେଖିଲେ ଅଗ୍ରତେ      ଗ୍ରୀବା ଟେକି ଚାହିଁ-

ଅଛନ୍ତି କୁରଙ୍ଗ ଯୂଥ ।

 

ରାମ ରାମନେତ୍ରୀ             ରାମ ଯୂଥେ ଚାହିଁ

ପୁଚ୍ଛଇ ହୋଇ ଉତ୍ସନ୍ନ

‘‘ତ୍ରିଭୁବନ ଖ୍ୟାତ            ପ୍ରାଣନାଥ ମୋର

ନିଷଧ-ଧରା-ମଣ୍ତନ ।

 

ଦେଖିଅଛ କେହି             ଯାଇଛନ୍ତି କେଣେ

କାଲି ଅର୍ଦ୍ଧଯାମ ବେଳେ

ଏତେ ଭାଷି ବାଳା            ବନ ମୁଖରିତ

କଲା କ୍ରନ୍ଦନର ରୋଳେ ।

 

ସେ ରୋଦନ ଶୁଣି            ତରୁ ଲତା ପକ୍ଷୀ

ହୋଇଲେ ଅତି ନିସ୍ତବ୍ଧ

ମୃଗ ଶିଶୁ ମାତୃ            ସ୍ତନ ତେଜ୍ୟା କରି

ଚାହିଁଲେ ହୋଇଣ ସ୍ତବ୍ଧ ।

 

ହିଂସ୍ର ଜନ୍ତୁଗଣେ            ହିଂସା ଭାବ ତେଜି

କରୁଣେ ରହିଲେ ଚାହିଁ

ବାରିଧର ମଧ୍ୟେ            ସହସ୍ର ଦିଧୀତି

ବିମର୍ଷେ ଲୁଚିଲେ ଯାଇଁ ।

 

ସତୀ ଶିରୋମଣି            କ୍ଷଣେ କାନ୍ଦି କ୍ଷଣେ

ଧାବନ୍ତି ପୁରତେ ଖରେ

କଣ୍ଟକ ସ୍ପରଶେ            ପ୍ରସ୍ତର ଆଘାତେ

ଲୋଟନ୍ତି କେବେ ମହୀରେ ।

 

ଅସମ୍ଭାଳ ବେଶ            ଭୂଷଣ ଗମନେ

ଆଲୁଳାୟିତ କୁନ୍ତଳା

କାନ୍ତ ଭ୍ରମେ କେବେ      ଧାଇଁ କୋଳ କରେ

ମହୀରୁହେ ପ୍ରେମଶୀଳା ।

 

ପୁରତେ ବିରାଜେ            ଅଶୋକ ପାଦପ

ଦେଖି ଯାଇଁ ଚାରୁହାସୀ

କହଇ ‘‘ଅଶୋକ            କର ତୁ ଅଶୋକ

ମୋତେ ଏ ଦୁର୍ଦ୍ଦଶା ନାଶି ।

 

ପ୍ରଶ୍ରବଣ ଥାଇଁ            ନ ଶୁଣ କିମ୍ପାଇ

ଆହେ ମହୀରୁହ ଗଣ

ଏ ପଥେ ଗଲେ କି      ମୋ ଦୁଃଖ ପାଶୋରା

ନଳ, ପୁରୁଷଉତ୍ତମ ।’’

 

ବିନିଦ୍ରେ ଉନ୍ମିଦ୍ରେ             ବିଥିରେ ବିଥିରେ

ଭ୍ରମିଣ ବିଦର୍ଭ ଜେମା

ଖୋଜୁ ଖୋଜୁ କେବେ       ସଂଜ୍ଞା ନାଶ ହେତୁ

ହୁଅନ୍ତି ମହୀଶୟନା ।

 

ଏହି ମତେ ନାନା             ବନ ଦେଶ ଭ୍ରମି

ନୈଷଧେଶ ପ୍ରାଣଧନ

ହୋଇଲେ ପ୍ରବିଷ୍ଟା            ମରୁଦେଶେ ଏକ

କାତରେ କରି କ୍ରନ୍ଦନ ।

 

ମାର୍ଗ ଅନୁସରି             ଅବନୀ ଶୋଭିନୀ

ଅଗ୍ରେ ହୋନ୍ତେ ଅଗ୍ରସର

ହେଲେ ଉପସ୍ଥିତା             ଅଯୋଗେ ସହସା

ମହା ବାହସ ଅଗ୍ରର ।

 

ନାଗରୀମଣିର            ଆସନ୍ନ ମରଣ

ଜାଣିଣ କେହି କିରାତ

କୃପାଣ ହସ୍ତରେ            ପ୍ରବେଶି କୃପାଣେ

ସର୍ପ ପ୍ରାଣ କଲା ହତ ।

 

ବାରବାନି ଜିଣି            କାନ୍ତି, ନାରୀ ବନେ

ବିଜନେ ଏକାନ୍ତେ ଦେଖି

ନୁହଇ ଆର୍ଶ୍ଚଯ୍ୟ            ରଭସେ ବାଳିଶ

ମଦନେ ହୋଇବା ଦୁଃଖୀ ।

 

କିରାତକୁ ଦେଖି            ନିକଟେ ସାଧବୀ

ଭୟେ ହେଲା ଆନ ଆନ

ବିଧିରେ ଅଧିରେ            କହଇ ନିଷ୍ଠୁର

‘‘ସୁନ୍ଦରୀ, ମୋ ବାଣୀ ଘେନ’ ।

 

ଚରଣ କିଙ୍କର            ଜନକୁ କିଁପାଇ

ଧୀରାମଣି ଏଡ଼େ ଡର

ସେବକ ପଦରେ            ବର ଦୟା ବହି

ମାନସେ ଆନ ନ ଧର ।

 

ସର୍ପ ପ୍ରାଣ ନାଶି            ତବ ପ୍ରାଣ ରକ୍ଷା

କରିଅଛି ଧନି ! ମୁହିଁ

ଉପକାରୀର ଗୋ            ପ୍ରତି ଉପକାର

କରିବା ସିନା ଯୋଗାଇ ।

 

ଉପକାରୀ ଦୁଯେ            ଶ୍ରୀପଦେ ଶରଣ

ମାଗୁଛି ଆର୍ତ୍ତେ ସୁନ୍ଦରୀ !

ତୋର ଦୟା ବିନା              ପଞ୍ଚଶର-ତାପେ

ନ ପାରିବି ଦେହ ଧରି ।’’

 

ବେନି କରୋଦରେ      ପୟୋଧର ଯୁଗ

ଆଚ୍ଛାଦି ରାଜନନ୍ଦିନୀ

ଅର୍ଦ୍ଧ ବସ୍ତ୍ରେ ମହୀ-             ପରେ ଲୋଟୁଥାଇ

ସ୍ମରି ଲଲାଟ ଲେଖନୀ ।

 

ନୀରବନ୍ତେ ବ୍ୟାଧ            କହେ ସତୀ କରି

ବିଚଳିତ ଭ୍ରୂବଲ୍ଲିକା

‘‘ହୀନ ରସନାରେ            ଏତେ ବଖାଣୁଛୁ

ହୃଦେ ନ ହେଉଛି ଶଙ୍କା ।

 

ଆରେ ଆରେ ନୀଚ       କୁଳୋଦ୍ଭବ ଦୁଷ୍ଟ

ଆରେ ଦାମ୍ଭିକ କୁକ୍କୁର

କେଉଁ ସାହସରେ            ଏ ଆଶା ପୋଷିଲୁ

ଏଡ଼େ ଅହଙ୍କାର ତୋର ।

 

ସର୍ପ କବଳରୁ            କରି ମୋତେ ରକ୍ଷା

କରିଛୁ ଯେ ଉପକାର

ପ୍ରତି ଉପକାର            କରିବାକୁ ମୁହିଁ

ନ ହୋଇଥାନ୍ତି କାତର ।

 

ପାରିତୋଷିକର            ଛଳେ ଦେହୁ ପିତ୍ତ

ମାଗିଥିଲେ ଆରେ ଦୁଷ୍ଟ

ଦେଖାଇଥାନ୍ତି ମୁଁ            ତୋ କୃପାଣ ପାଶେ

ଏ ତନୁ ହୋଇଣ ହୃଷ୍ଟ ।

 

ଅଥବା ଜୀବନ            ନେବାକୁ ମୋହର

ବଳିଥିଲେ ତୋର ଶ୍ରଦ୍ଧା

ଅକାତରେ ଶିର             ଦେଇଥାନ୍ତି ପାତି

ନ ଆଚରି ତିଳେ ଦ୍ୱିଧା ।

 

ରଘୁକୁଳ ବଧୂ            ବୈଦର୍ଭୀକୁ ଯାହା

କହିଲୁ ଆରେ ପାଂଶୁଳ

ଜାଣିଥା ଲଭିବୁ            ଅଚିରେ ତାହାର

ଉପଯୁକ୍ତ ପ୍ରତିଫଳ ।’’

 

ଭାଷି ଏତେ ସତୀ            ଯାନ୍ତେ ପଥ ବାହି

ଅଧୀରେ କର ପ୍ରସାର

କରି କ୍ରୂର ବ୍ୟାଧ            କହେ ‘‘ନାରୀମଣି !

କେଣେ ହେଉ ଅଗ୍ରସର ।

 

ମୃଣାଳ କୋମଳ            ଭୂଜ-ବଲ୍ଲରିରେ

ବାନ୍ଧି ରଖ ଏହି ପ୍ରାଣ

କରୁଛି ବିନତି            ଦୟା କରି ଦାସ

ଅଭିଳାଷ କର ପୂର୍ଣ୍ଣ ।

 

ଧୀରେ ଘେନ ଧୀରା !            ଯଦି ଏ ବିଜନେ

ସ୍ପର୍ଶିବି ଅଙ୍ଗ ତୋହର

କି କରି ପାରୁ ତୁ            ସୁନ୍ଦରୀମଣି ଗୋ

ବିଚାରି ବାଣୀ ଉଚ୍ଚାର ।’’

 

ନିଷ୍ଠୁର କିରାତ            ମନ୍ଦ ଆଚରଣ

ଦେଖି ସାଧ୍ୱୀସୀମନ୍ତିନୀ

ହୋନ୍ତେ କ୍ରୋଧୀ, ଚକ୍ଷୁ       ଦ୍ୱୟୁ ଦିବ୍ୟ ଜ୍ୟୋତି

ଜାତ ହେଲା ସେହିକ୍ଷଣି ।

 

ଫଳେ ବ୍ୟାଧ ବପୁ       ହେଲା ଭସ୍ମୀଭୂତ

ତେଜିଣ ସେ ସ୍ଥଳୀ ଦୁଃଖେ

ପ୍ରବେଶିଲେ ତହୁଁ            ବନାନ୍ତରେ ଦେବୀ

କନ୍ଦର ଗୁହାର ପଥେ ।

 

କରନ୍ତି ରୋଦନ            ‘‘ହେ ସଖେ ! ଜୀବନ,

ମୃତ୍ୟୁକୁ ସତ୍ଵର ବର

ସହି ନ ପାରିବି             ଏ ଦୁଃସହ ଦୁଃଖ

ବେଳୁବେଳ ହୁଏ ଘୋର ।

 

ଆହେ ବଜ୍ରଧର            କରେ ବଜ୍ରଧର

ମୋ ଶିରେ କର ପତନ

ପ୍ରାଣେଶ ବିହୁନେ            ଏ ପାପ ଜୀବନେ

ଅଛି କିବା ପ୍ରୟୋଜନ ?

 

ନିଦାରୁଣ ପିତୃ-            ପତି ! ଦେଖୁନାହିଁ

କିପାଁ ଏ ଦୀନା କଷଣ

ହେ ଚିତ୍ରଗୁପତ !             କିଁପାଇ ଗୁପତ

କଲ ପଞ୍ଜିକା ଏକ୍ଷଣ ।

 

ଅହିପତି ଯେଉଁ             ଫଣା ସାହାଯ୍ୟରେ

ସହିଛ ମେଦିନୀ ଭାର

ଲବେ ଦୟା ବହି            ସେ ଫଣା ସାହାଯ୍ୟେ

ନାଶ ମୋ କଷଣ ଘୋର ।

 

ହେ ଧର୍ମ ତୁମ୍ଭେଟି             ଧାର୍ମିକର ଭବେ

ଅଟ ଅକ୍ଷୟ କବଚ

ଆହେ ତାରାରାଜି       ତୁମ୍ଭେ ପରା ନଭେ

ସରବଦା ବିରାଜିଛ ।

 

କେଉଁ ଦୋଷେ ଦୀନା      ବୈଦର୍ଭୀର ଦୁଃଖ

ଛାମୁଁରେ ନ ହୁଏ ଘେନା

ଦେବ ପଦ୍ମଯୋନି !      କେଉଁଦୋଷେ ଭାଲେ

ଏସନ କଲ ଘଟଣା ।

 

ନୀଳାଚଳବାସି !            ପୁର୍ବ ଜନ୍ମେ ଦାସୀ

କିବା ଗୁରୁ ଅପରାଧ

କରିଥିଲା ଯାର             ଫଳେ ଦିଅ ଶିରେ

ଅଜାଡ଼ ଦୁଃଖ , ଦୁଃସାଧ୍ୟ ?

 

ଆରତ–ତାରଣ            ବାନା ପରା ତବ

ଆହେ ପ୍ରଭୁ ବିଶ୍ୱପତି

ଆରତ ଗୁହାରି            ଶ୍ରବଣେ ସର୍ବଦା

ଡେରିଅଛ ପରା ଶ୍ରୁତି ।

 

ମକର ଆଳୟ            ଯାଦଃପତି ପରି

ମୋର ଯାତନା ରାଶି

ହେ ଯାଦବପତି !       ତ୍ରିଦିବେ ଅଭୟ

ଦେଉଛ ଅରାତି ନାଶି ।

 

ଛାଡ଼ି ସର୍ବ ଆଶା            ପଶିଛି ଶରଣ

ଦେବ ତବ ଶ୍ରୀପୟରେ

ଅପକ୍ଷ ପକ୍ଷକ            ରକ୍ଷକ ନୋହିଲେ

ଗତି କାହିଁ ମହୀପରେ ?

 

ଦୟା ନିକେତନ କେତନ ଉଡ଼ୁଛି

ଶ୍ରୀ ନୀଳକନ୍ଦର ପରେ

ମୋତେ କିଁପା ଦେବ ହେଉଛ ନିର୍ଦ୍ଦୟ

ଦୁଃଖ ଦିଅ ଦୁଃଖ ପରେ ।

 

ଏ ମହାନ ଦୁଃଖ            ସମୟରେ ହରି !

ବିପଦ-ଚନ୍ଦ୍ରମା-ରାହୁ-

ରୂପ ନଳ ବୀରେ            ପ୍ରଦାନି ରଖ ହେ

କୃପାସିନ୍ଧୁ ମହାବାହୁ ।

 

ହେ ନିଷଧେଶ୍ୱର            କପଟୀ ପୁଷ୍କର

ଶେଷେ ହେଲା ଶୋଭନୀୟ

ବିପନ୍ନା ବିଷଣ୍ଣ            ଏ ଅସହାୟାର

ଦୁଃଖେ ନାହିଁ ବିପର୍ଯୟ ।

 

କେବେ ପୁର୍ବବତ            ସୁଖ ଲାଭ ଦାସୀ

କରିବ ତୁମ୍ଭ ସହିତ

କହ ନାଥ କେହ୍ନେ            ଧରିବି ପରାଣ

ବିରହ ବେଦନାକ୍ରାନ୍ତ ।

 

ତବ ଅଧିକୃତ            ରାଜ୍ୟେ ପଶି ନାଥ

ଶତ୍ରୁ ଦର୍ପ କର ଚୂର୍ଣ୍ଣ

ନ୍ୟାୟେ ଧର୍ମେ ପ୍ରତି-            ଷ୍ଠିତ ସିଂହାସନେ

ଅଳଂକୃତ ହୁଅ ପୁନଃ ।

 

ଆହେ ପ୍ରାଣେଶ୍ୱର            କେଣେ ଛାଡ଼ିଗଲ

ମୋ ଜୀବନ ସାନ୍ଧ୍ୟାତାରା

ଏତେ ଭାଷି ଖେଦେ      ଭୂମି ପରେ ଲୋଟି

କ୍ରନ୍ଦନେ ମଗନ ଧୀରା ।

 

ରାମ ଅଭିରାମ            ପୁର ବିହାରିଣୀ

ସହସ୍ର ଆଳି ସେବିତା

ନାରୀ ଆଜି ଭାଗ୍ୟ      ଦୋଷେ ଏକାକିନୀ

ବିଜନେ କ୍ରନ୍ଦନେ ରତା ।

 

ଶ୍ରାବଣର ବାରି            ଧାରା ପ୍ରାୟେ ଅଶ୍ରୁ

ଧାରା ବହଇ ସଘନେ

ସାନ୍ତ୍ୱନା ଦେବାକୁ            ନାହାନ୍ତି ସଙ୍ଗିନୀ

ଜଣେ ସେ ଗହନ ବନେ ।

 

ସାନ୍ତ୍ୱନା ନୁହଇ            ଶୋକ ବ୍ୟାଧି ହର

ଅଶ୍ରୁ ଏକା ସିନା କ୍ଷମ

ନାଶିବାକୁ ତାହା            ଦୁଃଖୀ ପକ୍ଷେ ଯେହୁ

ସୃଷ୍ଟି ନିର୍ମାତାର ଦାନ ।

 

ମନ୍ତ୍ରର ପ୍ରଭାବେ            କ୍ଷୀଣପ୍ରଭ ଯଥା

ହୁଏ ବିଷଧର ବିଷ

ତେସନ ଅଶ୍ରୁର            ଧାରା ସଙ୍ଗେ ଶୋକ

ବେଗ ହେଉଥାଏ ନାଶ ।

 

ଆସେ ପରା ଅଶ୍ରୁ            ନେବାପାଇଁ ଦୁଃଖ

ନାମ ତାର ଦୁଃଖହର

ନାମ ଅନୁରୂପେ             କରଇ ବେଭାର

ନାଶିଣ ଯାତନା ଘୋର ।

 

ସମ୍ପଦେ ସୁହୃଦ            ସରବେ, ବିପଦେ

ପ୍ରକୃତ ଜଣେ ବିରଳ

ଅଦ୍ଵିତୀୟ ବନ୍ଧୁ            ସମ୍ପଦେ ବିପଦେ

 

ଏକମାତ୍ର ଅଶ୍ରୁଜଳ ।

 

ରୋଗରେ ଶୋକରେ            ସମ୍ପଦେ ବିପଦେ

ଆସି ସେହୁ ବଳେ ବଳେ

ଦିଅଇ ସାନ୍ତ୍ୱନା            ମହା ହିତୈଷୀ ସେ

ମାନବର ଧରାତଳେ ।

 

ସମସ୍ତେ ଖାତକ            ତାହାର ଜଗତେ

ତା ଋଣ ନୋହେ ସାମାନ୍ୟ

ଶତ ଜନ୍ମ ଚେଷ୍ଟା            କଲେ ନ ପାରିବ

କରି ତାର ପ୍ରତିଦାନ ।

 

ଦିନେ ବିଧୁମୁଖୀ            ପୁରତେ ସହସା

ତରକ୍ଷ ଏକ ପ୍ରବେଶ

ଦେଖି ନ ପ୍ରକାଶି            ଭୟ ସୁକୁମାରୀ

କହିଲା ହୋଇ ବିରସ ।

 

‘‘କ୍ରୋଧେ ଆସି ବକ      ମୋତେ କର ଭକ୍ଷ

ନ ଯାଅ ବୃଥାରେ ଫେରି

ତବ ବାମା ବୃକୀ            ହେଉ ଚିର ସୁଖୀ

ଖାଅ ଦୁହେଁ ପେଟ ଭରି ।

 

ପୁରୁଷ ଅନଘ            ନିଷଧ ରାଜନ

ଅମିତ ବିକ୍ରମବନ୍ତ

ନଳ ବ୍ୟତିରେକେ            ହତଭାଗିନୀର

ଅଛି କି ସୁଖ ଏମନ୍ତ ।’’

 

ପୁରତେ ରାକ୍ଷସେ            ଅନାଇ ସାଧବୀ

କରେ ନିର୍ଭୟେ ଉକତ

‘‘ଆସ ନିଶାଚର            ଭୁଞ୍ଜ ଦେହ ମୋର

ହୋଇଛ ପରା କ୍ଷୁଧିତ ।

 

ନାରୀ ଜାତି ସଦା            ଅଟନ୍ତି ଅବଧ୍ୟ

ଏ ଭାବନା କର ଦୂର

ଭୟ ନାହିଁ ବଳେ            ଅର୍ପୂଛି ମୁଁ ତୋତେ

ଏ ନଶ୍ୱର କଳେବର ।’’

 

ଏହିମତେ କେତେ            ବିଳପି ସୁନ୍ଦରୀ

ବିଦେଶୀ ବଣିକେ ଦେଖି

ନଳଙ୍କ ବାରତା            ଭୀମସେନ ସୁତା

ପୁଚ୍ଛି ହେଲା ନିରିମାଖୀ ।

 

ସ୍ୱୀୟା ପରିଚୟ            ନ ଦେଇ ତାହାଙ୍କୁ

ଅଗ୍ରେ ହେଲା ଅଗ୍ରସର

ନଳ ଅନ୍ୱେଷଣେ            ପଦଗେ ବିଷାଦେ

ସହିଣ କଷ୍ଟ ଅପାର ।

 

* ବଣିକଙ୍କ ସ୍ନେହେ      ବିଶ୍ୱାସ ସ୍ଥାପନ

ସର୍ବଥା ନୁହେ ଉଚିତ

ଏସନ ବିଚାର            ସରବଦା ସତୀ

ହେଉଥିଲେ ସଂତ୍ରାସିତ ।

 

* ଚରିତେ ଯୋଷିତାଂ ପୂର୍ଣ୍ଣେ ସରିତ୍ତୋୟେ ନୃପାଦରେ

ସର୍ବତ୍ରୈବ ବଣିକ୍‌ ସ୍ନେହେ ବିଶ୍ଵାସଂ ନୈବ କାରୟେତ୍‌

କାଳିଦାସ ।

 

କିଛିଦିନ ଏହି-            ମତେ ଭ୍ରମି ଭ୍ରମି

ବନାନ୍ତରେ, ଗ୍ରାମ ଦେଶେ

ଦଇବେ ସୁନ୍ଦରୀ            ସୁବାହୁ କଟକେ

ହେଲେ ଯାଇ ଅବଶେଷେ ।

 

ବିରାଟ ଭୁବନେ            ଦ୍ରୌପଦୀଙ୍କ ପରି

ଅନ୍ତଃପୁରେ ଯାଇ ମିଳି

ରାଜମାତା ପାଶେ            ଛଦ୍ମବେଶ ଧରି

ରହିଲେ ସତୀ-ମଉଳି ।

 

ତେଜି ସର୍ବବିଧ            ସୁଖ, ରାଜୋଚିତ,

ବିରସେ ଦିବା ଶର୍ବରୀ

ଝୁରି ହେଲେ ଏଥେଁ      ବୈଦର୍ଭୀ ସାଧବୀ

ଲଙ୍କାରେ ବୈଦେହୀ ପରି ।

 

ଚତୁର୍ଥ ସର୍ଗ

ବିଦର୍ଭ ରାଜନ            ବୀର ଭୀମସେନ

ଅରାତି ବଡ଼ିମାହର

ଜାମାତା ଦୁହିତା            ବେନିଙ୍କ ବାରତା

ଶ୍ରବଣେ ହୋଇ ବିଧୂର ।

 

ତେଜିଲେ ଆସନ            ଆସନ ବ୍ୟସନ

ବାତ୍ସଲ୍ୟ ରସବତ୍ସଳ

ଝୁରିଲେ ମହିଷୀ            ପରିଜନବର୍ଗ

ସହିତ ପରଜାକୁଳ ।

 

ପ୍ରବୀଣ ସଚୀବ            ସହିତ ଭୂମିପ

କରିଣ ତ୍ୱରା ମନ୍ତ୍ରଣା

ବିହିଲେ ସନ୍ଦେଶ            ସାମନ୍ତ ଭୂମିପେ

‘‘ଖୋଜ ଜାମାତା ଦୁଲଣା’’ ।

 

ସ୍ୱୀୟ ଅନୁଚର            ଛଡ଼ା ଭୀମସେନ

ବାଛି ବାଛି କେତେ ଦ୍ୱିଜ

ପେଷିଲେ ସର୍ବତ୍ର            ପୁରସ୍କୃତ କରି

ସିଦ୍ଧ ହେବା ଅର୍ଥେ କାର୍ଯ୍ୟ ।

 

ଗୁରୁ ବାକ୍ୟ ଘେନି            ଶିଷ୍ୟ ପ୍ରାୟେ ସର୍ବେ

ନୈଷଧେଶ ଅନ୍ୱେଷଣେ

ହୋଇଲେ ବାହାର      ଖୋଜିଲେ ସର୍ବତ୍ର

ଜନପଦେ ବନଭୂମେ ।

 

ଅତି ସୁଚତୁର            ନୀତିଜ୍ଞ ପ୍ରବୀଣ

ସୁଦେବ ନାମେ ବ୍ରାହ୍ମଣ

ସୁଦୈବ ବଶରୁ            ସୁବାହୁ କଟକେ

କଲା ଶୁଭେ ଆଗମନ ।

 

ନାନା ଜାତି ବାଜୀ-      ବୃନ୍ଦେ ପରିପୂର୍ଣ୍ଣ

ସୁବାହୁଙ୍କ ରାଜଧାନୀ

ଥିଲେ ଯହିଁ ପୁର୍ବୁ            ଛଦ୍ମବେଶ ଧରି

ଦମୟନ୍ତୀ ସୁଭାଗିନୀ ।

 

ବିଦେଶୀ ବ୍ରାହ୍ମଣ            ମୁଖୁ ନୃପ ପାଇ

ଆଶ୍ରିତା ନାରୀ ସମ୍ବାଦ

ଭୀମ ନନ୍ଦିନୀକୁ            ଭୀମ ଅନ୍ତପୁରେ

ନିବେଶି ହେଲେ ପ୍ରମୋଦ ।

 

ପତିବ୍ରତା ସତୀ            ନିଜ ପ୍ରାଣ ପ୍ରତି

ନ କରି ତିଳେ ଆଦର

ପ୍ରାଣପତି ପ୍ରାପ୍ତି            ଇଚ୍ଛା କରି ସଦା

ଯତନ କଲା ଅପାର ।

 

ସମ୍ଭାଷି ବିଶ୍ୱାସୀ            ପଚିଚାରେ ଦେବୀ

ପେଶିଦେଲେ ଦିଶେ ଦିଶେ

ନାନା ରୂପେ ସର୍ବେ      ବିଘ୍ନେଶ ସୁମରି

ଚଳିଲେ ନୃପେନ୍ଦ୍ର ଆଶେ ।

 

ବରଗିବା ବେଳେ            କହିଥିଲେ ବାଳୀ

ସର୍ବେ ହୋଇ ଏକମନ

ଯହିଁ ପ୍ରବେଶିବ            ତହିଁ ପ୍ରଚାରିବ

ମମ ଏ ସନ୍ଦେଶ ମାନ ।

 

‘‘କର୍ମ ଅବଳକୁ            ଦଇବ ବଳକୁ

ହେଲ ଏଡ଼େ ନିଦାରୁଣ

କା’ ଆଗେ କହିବୁ            କିଏ ପ୍ରତେ ଯିବ

ଦ୍ରବୁଛି ଶୁଣି ପାଷାଣ ।

 

ହଂସ ଦୂତୀ ଦ୍ୱାରା            ଯାହାକୁ ଲଭିଲ

ବସ୍ତ୍ର ପ୍ରାନ୍ତ ତାର ଚୋରୀ

କରି କେଉଁ ଦୋଷେ      ସେ ଅଭାଗିନୀକୁ

ଦେଉଛ ନୃପ ! ପାଶୋରି ।’’

 

କିଛିଦିନେ ସେହି            ଅନ୍ୱେଷଣକାରୀ

ମଧ୍ୟୁ ଜଣେ ବିପ୍ର ଆସି

ଜେମାଙ୍କୁ ରାଇଣ            କହିଲା ଗୁପତେ

‘‘ନ ଶୁଖା ଶ୍ରୀମୁଖଶଶୀ ।

 

ଦୁଃଖ ନିଶୀ ତବ            ପାହିଅଛି ପୂର୍ବେ

ଉଦୟେ ଶୁଭେ ଅରୁଣ

ଏତେ ଦିନେ ତବ            ଗୁହାରି ଶୁଣିଲେ

ଅଖିଳ ଜଗତ ପ୍ରାଣ ।

 

ତବାଦେଶ ପାଳି            ଅନେକ ରାଇଜ

ଭ୍ରମି ଭ୍ରମି ଅବଶେଷେ

ପହଞ୍ଚିଲି ଯାଇଁ            ସଉଭାଗ୍ୟବାନ

ଋତୁପର୍ଣ୍ଣ ରାଜା ଦେଶେ ।

 

କି ବର୍ଣ୍ଣିବି ଦେବୀ            ସେ ରାଜ୍ୟର ଶିରୀ,

କମଳା-ବିଳାସ-ଭୂମି

ପରି ତା ସମ୍ଭାର            ସୌଧାବଳୀ ଯା’ର

ସୁର ପୁର ଯିବ ଜିଣି ।

 

ନନ୍ଦନୁଁ ସୁରମ୍ୟ            କାନନ ବିରାଜେ,

ଜିଣି ମାନସରୋବର-

ସରସୀ, ଦର୍ଶନେ            ଯାହାକୁ ଶଂସିବେ

ସୁର ଯକ୍ଷ ନାଗ ନର ।

 

କୁବେର ଭଣ୍ଡାର            ପରି ପରିପୂର୍ଣ୍ଣ

ଧନ ରତ୍ନେ ରାଜକୋଷ

ସଦା ମୁକ୍ତ ଦ୍ୱାର            ଦୁଃଖୀଙ୍କର ପାଇଁ

ଶୁଭୁଥାଇ ଜୟ ଘୋଷ ।

 

ରାଇଜ ରକ୍ଷଣେ            ରଣ ସମ୍ଭାରର

ଥାଏ ସଦା ଆୟୋଜନ

ଅଗଣିତ ଦେବୀ            ସେ ରାଇଜେ ବାଜୀ,

ମାତଙ୍ଗଜ, ରଥୀ, ସୈନ୍ୟ ।

 

ପାରିଷଦ ସହ            କରିଥିଲେ ବିଜେ

ନୃପରାଜ ଦରବାରେ

ଚାରଣ ବେଶୀ ମୁଁ,            ଅବାରିତ ଭାବେ

ପ୍ରବେଶିଲି ଶ୍ରୀ ଛାମୁରେ ।

 

ଶ୍ନେଷବାକ୍ୟେ ଦେବି !      କେହି ଯେଣୁ ମୋର

ପ୍ରତି ନ ବହିଲେ ଶ୍ରଦ୍ଧା

ଆନ ରାଜ୍ୟେ ଯିବା      ଆଶେ ନିବର୍ତ୍ତିଲି

ତହୁଁ ନ କରିଣ ଦ୍ୱିଧା ।

 

ତଦନ୍ତେ ବିମନେ            ଯାନ୍ତେ ରାଜଦାଣ୍ଡେ

ନରନାଥ ମନ୍ଦୁରାରୁ

ବାହାରି କେ ଜଣେ      ମୋତେ ନିରେଖିଣ

ସମ୍ମାନ ବିହିଲା ଦୂରୁ ।

 

ଅତି କୁବ୍ଜାକାର            ଦେହ ଦିଶେ କଳା

ପ୍ରବେଶି ନିର୍ଜନ ଠାବେ

ନିରେଖି ଚୌଦିଗେ      ସଭୟେ ଭାଷିଲା

ମୋତେ ବକ୍ଷମାଣ ଭାବେ ।

 

‘‘ଉଭା ଅଗ୍ରେ ତବ            ହେ ବିପ୍ରପୁଙ୍ଗବ !

ତନ୍ତ୍ରୀପାଳବେଶୀ ନଳ

ନାମେ ଯାର ଦିନେ      କମ୍ପୁଥିଲା ମହୀ

ଦିଗ ବିଦିଗ ପାତାଳ ।

 

ଦୂରଦୁଷ୍ଟବଶୁ            ନୃପତିଲଲାମ

ଆଜି ଆନ ସେବାକାରୀ

ପର ଅନ୍ନଭୋଜୀ            ନିଜ ସୁଖ ତେଜି

ତେଜି ତାଦୃଶୀ ସୁନ୍ଦରୀ ।

 

ଆହା ଦମୟନ୍ତୀ            ପତିବ୍ରତା ସତୀ

ଅୟି ପରାଣ ସଙ୍ଗିନୀ

ଅଚେତନା ତୁମେ            ଥିଲ ବନଭୂମେ

ଏକବସ୍ତ୍ରା, ଏକାକିନୀ ।

 

ପ୍ରିୟତମ ପତି            ହୋଇ ମୂଢ଼ମତୀ

ହୃଦେ ହାଣିଲି ଭିଦୁର

କେମନ୍ତେ ସହିଲ            ସେ ତୀବ୍ର ବେଦନା

ବିରହ ବେଦନା ଘୋର ।

 

ମମ କରେ ପ୍ରାଣ            ନାଗରୀଲଲାମ

ଅର୍ପିଥିଲ ଇଚ୍ଛାମତେ

ବିଶ୍ୱାସଘାତକ            ନିର୍ମମ ଅନ୍ତର

ଜାଣି ନ ଥିଲ କିଞ୍ଚିତେ ।

 

ପ୍ରିୟେ, ଦମୟନ୍ତୀ,            ଆଜନ୍ମ ସୁଖିନୀ

ସତେ ଅଛି କି ଜୀବନେ

କି ଥିଲା କି ହେଲା            କିଏ ଘେନିଗଲା

ସେ ରାମାମଣିକୁ ବନେ ।

 

ଅହୋ ଫାଟିଯାଏ            ବକ୍ଷ ଯେବେ ସ୍ମରେ

ଅତୀତ ଘଟଣାମାନ

ହେ ଦ୍ୱିଜ ନ ଜାଣେ      କିଏ ତୁମ୍ଭେ ଏଥେଁ

କେଉଁ ଭାବେ ଆଗମନ ।

 

ତେବେ କହିଲ ଯା’      କଥା ନୁହେ ତାହା

ଅମୃତ ବୃଷ୍ଟି ସାକ୍ଷାତ

ଯଥାକାଳେ ମୋର      ଦଗଧ ହୃଦୟ

କଲ ଚନ୍ଦନ ଚର୍ଚ୍ଚିତ ।’’

 

‘‘ନୁହସି ଅଧୀର            ନିବେଦିଲି ତହୁଁ

ହେଲା ମୋ ଶ୍ରମ ସାର୍ଥକ

ସାର୍ଥକ ଏ ପାପ-            ନୟନ ଦେଖିଣ

ମିହିରକୁଳତିଳକ ।

 

ପିତ୍ରାଳୟେ ଛନ୍ତି            ଆମ୍ଭ ଜେମାମଣି

ତବ ସୁତା ସୁତ ଘେନି

ତୁମ୍ଭର ବିରହେ            କିନ୍ତୁ ନିଶି ଦିବା

ବିଷଣ୍ଣବଦନା ଧନୀ ।’’

 

ଶ୍ରବଣେ ଏସନ            ବାଳାମଣି ବାମ

ଈକ୍ଷଣ କମ୍ପିଲା ଧୀରେ

କମ୍ପିଲେ ଆବର            ବାମ ଉରୁ ବାମ

ମୃଣାଳ କର ସତ୍ୱରେ ।

 

ନେତ୍ରାଞ୍ଜନ ଲଭି            ଜନ୍ମ ଅନ୍ଧ କିବା

ପାଇଲା ବେନି ନୟନ

ତୃଷାର୍ତ୍ତ ଚାତକ            ବାରି କଣା ଅବା

ଚକୋର ପାଇଲା ଜହ୍ନ ।

 

ଉଦନ୍ତ ରୂପକ            ଔଷଧ ଲଭିଣ

ବଧିରତା ହେଲା ଦୂର

ଶ୍ରୁତି ମୁଖେ ନଳ            ବାର୍ତ୍ତା ପିଇ ଭୈମୀ

ଦୂର କଲେ ଚିନ୍ତାଜ୍ୱର ।

 

ନ କରି ବୃଥାରେ            ବାକ୍ୟ ବିନିମୟ

ତୋଷେ ନାନା ପୁରସ୍କାର

ଦେଇ ବିପ୍ରେ ସତୀ      ଆଲୋଚ୍ୟ ଜନକୁ

ଭାବିଲା ସେ ପତି ତାର ।

 

ଦିବସ ଶର୍ବରୀ            ଅକ୍ଷମାଳା ପରି

ନଳ ନାମ ଜପି ହୃଦେ

ବନରୁହମୁଖୀ            ହୋଇ ଅତି ଦୁଃଖୀ

କଟାଇଲା କାଳ ଖେଦେ ।

 

ସଙ୍ଗିନୀ ଦୁର୍ଦ୍ଦଶା            ଦେଖି ଆଳୀ କେହି

ବୋଲେ ‘‘ଆଗୋ ଜେମାମଣି !

କାହିଁପାଇଁ ଏତେ            ହେଉଛ ଅଧୀରା

ଦିବାନିଶି ଗୁଣି ଗୁଣି ।

 

ଚିନ୍ତା-ଜାଲେ ଜଡ଼ି            ଦେଖିଲ ମୁକୁରେ

ଚିକୁର ଦିଶେ କି ମ୍ଳାନ

ସୁକୁମାର ତନୁ            କି ଦଶା ଲଭିଲା

କି ଘେନି କହ ଏମାନ ?

 

ବିଧିର ବିଧାନ            ଅଲଙ୍ଘନୀୟ ଏ,

ଯାହା ଭାଗ୍ୟେ ଥିଲା ତବ

ଘଟିଲା ନିଶ୍ଚୟ,            ହୁଅ ମା’ ଆଶ୍ୱସ୍ତା

ଦଶା ଫେରିଲେ ଫେରିବ ।

 

ପତି ପ୍ରାପ୍ତି ପୁନଃ            ଯଦି ଲିହିଥିବେ

ତବ କର୍ମପଟେ ଧାତା

ଅବଶ୍ୟ ଫଳିବ            ଜେମା ଗୋ ଅଚିରେ

ତେଜ ମନୁ ବୃଥା ଚିନ୍ତା ।’’

 

ପୟୋଧର କୋଳେ      ସୌଦାମିନୀ ଯେହ୍ନେ

ଚପଳେ ଚମକି ଯାଏ

ବାମା ମୁଖପଟେ            କ୍ଷୀଣ ହାସ୍ୟରେଖା

ତେସନେ ହେଲା ଉଦୟେ ।

 

ଭାଷିଲେ ସଙ୍ଗିନୀ            ପ୍ରତି ‘‘ପ୍ରିୟସହି !

ଏ ଉକ୍ତି ନୁହେ ଯୁକତ

ତବ, ଏ ସମ୍ଭବେ            କ୍ଳୀବ,କାପୁରୁଷ

ପକ୍ଷେ ନାହିଁ ୟାର ଅର୍ଥ ।

 

ଦେବତା ବିଶ୍ୱାସ            ଅବଶ୍ୟ କର୍ତ୍ତବ୍ୟ

(କିନ୍ତୁ) ଏକାନ୍ତ ନିର୍ଭରଶୀଳ      

ନୁହଇ ଉଚିତ,            ପରିଣାମେ ହାନି

ମାତ୍ର ଦେବଦତ୍ତ ବଳ ।

 

ଦେଇଛନ୍ତି ହରି            ଅପକ୍ଷପାତରେ

ଯେ ଅମୂଲ୍ୟ ଶକ୍ତି ନରେ

ଭବ-କର୍ମକ୍ଷେତ୍ରେ            ଅଗ୍ରସର ପାଇଁ

ନିର୍ଭର କରି ତା ଠାରେ ।

 

ହୋଇଣ ଅକର୍ମା,            ତୀବ୍ର ଆର୍ତ୍ତସ୍ୱରେ

ଭଗବାନ, ଭଗବାନ

ବସି ଡାକୁଥିଲେ            ଜୀବ ଯିବାତକ

ଶ୍ରମ ମାତ୍ରକ ପ୍ରମାଣ ।

 

ଭାଗ୍ୟଦେବୀ ପଦା      ଅନୁକୂଳ ସହି !

ଉଦ୍ଯୋଗୀ ଅଟେ ଯେ ଜନ

ଦୀର୍ଘସୁତ୍ରୀ ଯେହୁ            ତା ଭାଗ୍ୟେ ନିୟତି

କଦାପି ନୁହେ ପ୍ରସନ୍ନ ।’’

 

ଏକଦା ନିର୍ଜନେ            ବସି ଭାବୁଁ ବାଳା

ଉପାୟ କଲା ଭିଆଣ

ବିଦର୍ଭ ରାଜ୍ୟକୁ            ଆଣିବାକୁ ନଳ

ସହ ଋତୁପର୍ଣ୍ଣ ରାଣ ।

 

ରାଜନ ସମୀପେ            ଲେଖ ଲେଖି ନିଜ

ମୁଦ୍ରିକା ସଙ୍କେତ ଦେଇ

ମୁଦିଲା ମୁଦରେ            ବନପୂର୍ଣ୍ଣ ନେତ୍ରେ

ଇଷ୍ଟଦେବ ଚିତ୍ତେ ଧ୍ୟାୟି ।

 

ଚତୁର ବିଶ୍ୱାସୀ            ପ୍ରବୀଣ ବ୍ରାହ୍ମଣେ

ଡକାଇ ଅତି ଗୁପତେ

ଲେଖ ଦେଇ ବାଳା      ବିନୟେ ପେଷିଲା

ଋତୁପର୍ଣ୍ଣ ନୃପାଗ୍ରତେ ।

 

କେତେଦିନେ ଦ୍ୱିଜ            ଭ୍ରମି ଭ୍ରମି ହେଲା

ନରେଶ ରାଜ୍ୟେ ପ୍ରବେଶ

ବିରାଜନ୍ତି ଯହିଁ            ତନ୍ତ୍ରୀପାଳ ଭାବେ

ଦମୟନ୍ତୀ ପ୍ରାଣଈଶ ।

 

ଭେଟି ନୃପବର            ଦେଲା ଦ୍ୱିଜବର

ରାଜଜେମା ଶୁଭପତ୍ର

ମୁଦ ଫେଇ ପଢ଼ି            ମୁଦେ ନରେନ୍ଦ୍ରଙ୍କ

ପୁଲକି ଉଠିଲା ଗାତ୍ର ।

 

ମତିମତେ ପଢ଼ି            ସଚୀବେ ପୁନଶ୍ଚ

ପଠନେ ଦେଲେ ଆଦେଶ

ରାଜନ ଆଦେଶେ            ପତ୍ର ହେଲା ପାଠ

‘‘ଜୟୋଽସ୍ତୁ ପାର୍ବତୀ ଈଶ ।

 

ଶରଣ ରକ୍ଷଣ            ରାଜରାଜେଶ୍ୱର

ଅଭୟ ପୟର ଦ୍ୱନ୍ଦେ

ଦୀନା ଭିଖାରୁଣୀ            ଆଜନ୍ମ ଦୁଃଖିନୀ

ଦୂରୁ ନତଶିରେ ବନ୍ଦେ ।

 

କରି ବହୁ ଆଶା            ମାଗେ ପଦେ ଆଶ୍ରା

ଆହେ ମିତ୍ରବଂଶ ରବି

ମୋ ବିରହାନଳେ,      ଉପସ୍ଥିତ ନୋହି

ନ ଢାଳିବ ପ୍ରିୟ, ପବି ।

 

ଅଗ୍ନି ସାକ୍ଷ୍ୟ କରି            ପୁନଃ ପିତା ମୋତେ

ବିବାହ ଦେବେ ନିକଭ

ଯେଉଁଦିନ ନୃପ            ପାଇବ ଏ ଲିପି

ଆସିବ ନୋହି କାତର ।

 

ସ୍ୱଂୟମ୍ବର ସ୍ଥଳେ            ଦେଖା ହେବ ଦେବ

ଆସ ଅଭିମାନ ତେଜି

ମାଗୁଛି, କ୍ଷମିବ            ସ୍ୱଗୁଣେ ଦୀନାର

ଶତ ଅପରାଧରାଜି ।’’

 

ନୀରବନ୍ତେ ମନ୍ତ୍ରୀ,            ପାରିଷଦେ ବିଦା-

ଦେଇ ଋତୁପର୍ଣ୍ଣ ରାଣ

ବରବେଶ ସାଜି            ବରାଙ୍ଗନା ଅର୍ଥେ

ହେଲେ ବିଚଳିତ ମନ ।

 

ବାହୁକେ ଡକାଇ            କହିଲେ ସୋତ୍ସୁକେ

‘‘ପାରିବ କି ବାହି ଯାନ ?

ବାସରକେ ଯେହ୍ନେ      ଅତିକ୍ରମି ଯିବା

ପଥ ଶତେକ ଯୋଜନ ।

 

ବିଦର୍ଭ ନଗରେ            ଭୈମୀ ସ୍ୱୟମ୍ବର

ଆଗାମୀ ବାସର ମୁଖେ

ହୋଇବ ପୁନଶ୍ଚ            ଆସ ତ୍ଵରା କରି

ଦେଖିଣ ଉତ୍ସବ ସୁଖେ ।

 

ପ୍ରତ୍ୟକ୍ଷ ଚଞ୍ଚଳା            ପରି ସେ ଅବଳା

ରୂପେ ଗୁଣେ ଅନୁପମ

ସ୍ୱୀୟା ଇଚ୍ଛାମତେ            ଦୂତ ପେଷି ବାଳା

କରେ ମୋତେ ଆମନ୍ତ୍ରଣ ।’’

 

ବିଦ୍ୟାବିଶାରଦା            ପତ୍ରିକା ନିହିତ

ଗୂଢ଼ ତଥ୍ୟ ନରନାଥ

ନ ପାରିଣ ବୁଝି            ନାରୀ ପ୍ରେମେ ମଜ୍ଜି

ହୋଇଲେ ବିକୃତ ଚିତ୍ତ ।

 

ନୃପ ବାଣୀ ଶୁଣି            ତୋଷେ ବୀରମଣି

ଯିବାକୁ ହେଲେ ସ୍ୱୀକୃତ

ଭାବିଲେ ‘‘ଏ ଅନ୍ତେ      ଦୁର୍ଦ୍ଦଶାରାଶିର

ହେବ ଯବନିକା ପାତ ।

 

ମୋତେ ନେବା ପାଇଁ      କରିଅଛି ସିନା

ବାଳାମଣି ଏ ଚକ୍ରାନ୍ତ

ଶ୍ଳେଷବାକ୍ୟେ ତେଣୁ      ଲେଖିଛି ସୁନ୍ଦରୀ

ରାଜ ଦରବାରେ ପତ୍ର ।’’

 

ତହୁଁ ପ୍ରୀତିଭରେ,            ସ୍ୱକାର୍ଯ୍ୟ ସମ୍ପାଦି;

ପ୍ରବେଶି ଅଶ୍ୱଶାଳାରେ

କର୍କୋଟକ ଦତ୍ତ            ବାସ ଆଦି ନୃପ

ସଯତ୍ନେ ନେଲେ ସଙ୍ଗରେ ।

 

ଗଗନବିହାରୀ            ତୁରଙ୍ଗମେ ଯୋଚି

ସସଜ୍ଜିତ ରମ୍ୟରଥେ

କୁଣ୍ଡୀନ ନଗରେ            ଚଳିଲେ ରାଜନ

ରାଜନେ ଘେନିଣ ସାଥେ ।

 

ଅତ୍ୟନ୍ତ ଜାଙ୍ଗିକ            ତୁରଙ୍ଗମ ଚାରି

ନିଷଧରାଜ ସାରଥି

ଲଭିଣ ଉଠିଲେ            ଅମ୍ବରେ,ସ୍ୟନ୍ଦନ

ବଳିଲା ଅନିଳ ଗତି ।

 

ବର୍ତ୍ମେ ବାୟୁଭରେ            ନିଚୋଳ ଭୂମିପ

ସ୍କନ୍ଧରୁ ହେଲା ପତିତ

ବିହିଲେ ଆଦେଶ            ବାହୁକେ ରାଜନ

‘‘ସ୍ୟନ୍ଦନ କର ସ୍ଥକିତ ।’’

 

ପଡ଼ିଛି ବି-ଦୂରେ’            ଭାଷନ୍ତେ ନରେଶ

ସ୍ୱ ଅଧୀତ ବିଦ୍ୟାବଳେ

ଜାଣିଲେ ସାରଥି            ବଚନ ପ୍ରମାଣ

ମିଥ୍ୟା ତଥି ନାହିଁ ତିଳେ ।      

 

ଆଣିବା ଅସାଧ୍ୟ            ପୁଣ ରଥବେଗ

ଚିନ୍ତାକରି ହୃଦଗତେ

ହୋଇଲେ ବିସ୍ମିତ            ସହ ଆହ୍ଲାଦିତ

ବାମା ଲାଭ କରି ପ୍ରତେ ।

 

ଅକ୍ଷ ଦ୍ୟୁତକ୍ରୀଡ଼ା            ପାରଦର୍ଶୀ ଥିଲେ

ଋତୁପର୍ଣ୍ଣ ନରନାଥ

ମହୀରୁହ ଫଳ            ପତ୍ର ଗଣନାରେ

ସର୍ବଦା ଥିଲେ ସମର୍ଥ ।

 

ଗଣନା କୁଶଳ            ନୃପେ ବିଲୋକିଣ

ଅଶ୍ୱବିଦ୍ୟା-ବିଶାରଦ

ଭୂମିପ ନିଷଧ-            ରାଜନ ମାନସେ

ବହିଲେ ଅପାର ମୁଦ ।

 

ଭାଳିଲେ ମାନସେ            ‘‘ନିଶ୍ଚେ ଋତୁପର୍ଣ୍ଣ

ପାଶକ କ୍ରୀଡ଼ାରେ ଦକ୍ଷ

(ଆହା ଯାହା ଲାଗି      ରାଜେନ୍ଦ୍ର ମୁକୁଟ

ଆଜି ବାହୁକରେ ଲେଖ ) ।

 

କଲେ ଏହି ବିଦ୍ୟା            ଲାଭ ନୃପଠାରୁ

ପ୍ରବେଶି ନିଜ ରାଇଜେ

ପୁଷ୍କରକୁ କରି            ପରାଜୟ ହେଲେ

ସିଂହାସନେ ହେବି ବିଜେ ।’’

 

ଏଣେ ଋତୁପର୍ଣ୍ଣ            ନଳ ପରାକ୍ରମ

ଦେଖି କଲେ ଅଭିଳାଷ

ଶିକ୍ଷା କରିବାକୁ            ଏ ବିଦ୍ୟା ନଳଙ୍କ

ପାଶରୁ ନୃପତିଈଶ ।

 

ବେନି ନରନାଥ            ନିଜ ମନୋରଥ

ପରସ୍ପର ପ୍ରକାଶିଣ

ମାର୍ଗେ ରଥ ରଖି            କଲେ ଶୁଚି ଚିତ୍ତେ

ବିଦ୍ୟା ଆଦାନ ପ୍ରଦାନ ।

 

ଏ ନବ ସାମର୍ଥ୍ୟ            ନିଷଧରାଜଙ୍କ

ଦେଖି ଭୟେ କଳି କ୍ରୂର

ବିଗ୍ରହୁ ବାହାରି            ମହା ତରୁବର

ଆଶ୍ରି କହେ ‘‘ବୀରବର !

 

ତବ ଅର୍ଦ୍ଦାଙ୍ଗିନୀ            ସ୍ୱାଧୀଶିରୋମଣି

ରୋଷାନଳେ ଜର୍ଜରିତ

ହୋଇ ତନୁ ତନୁ            ହୋଇଛି ଭୋ ଦେବ !

ହିଂସା ମଦେ ହୋଇ ରତ ।

 

ଅଧୁନା ସହସ୍ର            ଶେଳ ବିନ୍ଧ ବ୍ୟଥା

ଲଭି କର୍ମଦୋଷ ନୃପ

ଶରଣ ମାଗୁଛି            ପତିବ୍ରତା ଶାପୁଁ

ରକ୍ଷ ରକ୍ଷ ମୋତେ ଭୂପ ।’’

 

ଏସନ ଉକତି            ଶ୍ରବଣେ ନୃପେନ୍ଦ୍ର

କ୍ରୋଧେ ଉଠିଲେ ପ୍ରଜ୍ଜ୍ଵଳି

ପୁନଃ ଆତ୍ମଗୁଣେ            ସମ୍ବରିଲେ କ୍ରୋଧ

ଶରଣପ୍ରାର୍ଥୀ ଏ ଭାଳି ।

 

ବହୁବିଧ ସ୍ତୁତି            ବିନୟ ବିହିଲା

କଳି ନୃପ ମହାଶୟେ

ପ୍ରଦାନି ଅଭୟ            କରିଲେ ଅଭୟ

କଳି ଚଳିଲା ନିର୍ଭୟେ ।

 

ଅରାତି ଆରତି            କରେ ଆକର୍ଷଣ

ଯେଉଁ ବୀରେନ୍ଦ୍ରର ମନ

ସେହି ଏକା ବୀର            ପଦବାଚ୍ୟ, ସେହୁ

ସଂସାରେ ମାତ୍ର ବରେଣ୍ୟ ।

 

କଳି ଅନ୍ତର୍ଦ୍ଧାନ            ପରେ ନୈଷଧେଶ

‘‘କାଲି ଦମୟନ୍ତୀ ତବ

ହେବ ନାହିଁ ନୃପ,            ପାଇବ ନିଶ୍ଚୟ

ଶିଶୁପାଳ ପରାଭବ ।’’

 

ଏସନ ସ୍ୱଗତେ            ଭାଷି ନରନାଥେ

ରଥ ବେଗେ କଲେ ବେଗ

ଅନିଳ ତରଳ            କୁବଳୟଦଳ-

ନେତ୍ରିରେ ବହି ସରାଗ ।

 

ଦିବା ଅବସାନେ            କୁଣ୍ଡୀନ କଟକେ

ସହ ଋତୁପର୍ଣ୍ଣରାଣ

ହୋଇଲେ ପ୍ରବେଶ      ବୀର ନୈଷଧେଶ

ଅରାତିକୁଳ-ମର୍ଦ୍ଦନ ।

 

ବେନି ବୀରେ ତହୁଁ            ଏକଭାବେ ଯହୁଁ

ନରେନ୍ଦ୍ରେ ବିହିଲେ ମାନ୍ୟ

ଆଶ୍ୱାସିଲେ ଭୀମ            ଋତୁପର୍ଣ୍ଣେ ତହୁଁ

ପୁଚ୍ଛି ରାଜ୍ୟ ଶୁଭମାନ ।

 

ସଭା ଭଙ୍ଗ କରି            ସଙ୍ଗେ ଘେନି ନୃପେ

ମିଳି ନିଜ ଅନ୍ତପୁରେ

ଯଥାଯୋଗ୍ୟ ରୂପେ      ଅତିଥି ସତ୍କାର

କଲେ ରାଜ ଉପଚାରେ ।

 

ଅଳକା ବଳିଣ            ପୁର ମନୋରମ

କଟକ ସମୃଦ୍ଧି ଦେଖି

ସ୍ୱପୁରୀ ହୀନତା            କରି ହୃଦେ ଚିନ୍ତା

ଋତୁପର୍ଣ୍ଣ ହେଲେ ଦୁଃଖୀ

 

ଦୁହିତା ମୁଖରୁ            ଅବଗତ ଥିଲେ

ପୂର୍ବୁ ବିଦର୍ଭରାଜନ

ଋତୁପର୍ଣ୍ଣ ସହ            ଆସିବେ ଜାମାତା

ନଳ,ନିଷଧରାଜନ ।

 

ନିରୂପିତ ଥିଲା            ଜାମାତାଙ୍କ ପାଇଁ

ଭୂବନମୋହୀ ପ୍ରାସାଦ

ରାଣୀହଂସ ପାଶେ            ବିଜେ କଲେ ଯହିଁ

ବୈଦର୍ଭୀ ନେତ୍ର ସମ୍ପଦ ।

 

ତହୁଁ ଶୁଚି ହୋଇ            ପିନ୍ଧିଲେ ରାଜେନ୍ଦ୍ର

କର୍କୋଟକଦତ୍ତ ବାସ

ଚହଟିଲା ଶିରୀ            ରାହୁ ମୁକ୍ତ ହୋଇ

ବାହାର କି ରଜନୀଶ ।

 

ରଜନୀଶମୁଖୀ            ଗବାକ୍ଷ ମାର୍ଗରେ

ସେ ବର ମୂରତି ଦେଖି

ଯେତେ ଦେଖୁଥାଏ      ପ୍ରୀତି ବଢ଼ୁଥାଏ

ତୃପତ ନ ହୁଏ ଆଖି ।

 

ଶତ୍ରୁଘ୍ନ ଅନଘ            ପ୍ରାଣେଶ କେସନ

ଋତୁପର୍ଣ୍ଣାଳୟେ ବାସ

କଲେ ଏ ବାରତା            ଆଶେ ଉତ୍କଣ୍ଠିତା

ହୋଇ ବିହିଲେ ଆଦେଶ ।

 

କେଶିନୀକୁ,‘‘ସଖି !      (ବୃଦ୍ଧା, ବିଶ୍ୱସ୍ତା ସେ)

ଗୁପ୍ତେ ଯାଅ କକ୍ଷାନ୍ତରେ

ଦେଖିଆସ ତ୍ଵରା            କିଏ ସେ ସୌଭାଗ୍ୟ-

ବାନ୍‌ ରାଜ ଅନ୍ତପୁରେ ।’’

 

ବୈଦର୍ଭୀପ୍ରେରିତା            କେଶିନୀ ବିଶ୍ରାମ-

ଦ୍ୱାରେ ପ୍ରବିଶନ୍ତେ ଯାଇଁ

ଦେଖିଲା ବିଜୟେ            ପ୍ରକୋଷ୍ଠାଭ୍ୟନ୍ତରେ

ସ୍ୱୟଂ ଦମୟନ୍ତୀ ସାଇଁ ।

 

ନାନାବିଧ ବାକ୍ୟ            ରହସ୍ୟବ୍ୟଞ୍ଜକ

ଉଚ୍ଚାରି ସେ ପରିଚାରୀ

ବିଧିମତେ ନୃପେ            ଆଣିଲା ସଙ୍ଖୋଳି

ଯହିଁ ବିଜେ ବିମ୍ବାଧରୀ ।

 

ମୀନନୟନୀର            ନୟନ ଯୁଗଳ

ନଳ ମନ ମୀନ ବେଗେ

 

ଘେନିଲା ଓଟାରି            ବେପଥୁ ଉପୁଜେ

ପ୍ରେମିକ ପ୍ରେମିକା ଅଙ୍ଗେ ।

 

ବିରହ ଅନ୍ତରେ            ପୁନଃ ସମାଗମ

ଅଟେ ଯେଡ଼େ ମନୋରମ

ସେ କାଳ ବର୍ଣ୍ଣନା            ବର୍ଣ୍ଣନେ ଲେଖିକା

ଲେଖନୀ ସଦା ଅକ୍ଷମ ।

 

ବାଳା ନମସ୍କାର            ଘେନି ନୃପବର

ସୁତା ସୁତେ କରି କୋଳ

ବଞ୍ଚିଲେ ରଜନୀ             ମହା ଆନନ୍ଦରେ

ପ୍ରଣୟେ ହୋଇ ବିହ୍ୱଳ ।

 

ବିଭାବରୀ ପ୍ରଭା            କ୍ରମେ ହେଲା ନାଶ

କାକ କୁକ୍କୁଟ ରଟନ

ହୋଇଲା ଘଟନ            ବିଭାବସୁ ପୂର୍ବେ

ଦିଶିଲେ ଦେଦୀପ୍ୟମାନ ।

 

ସାରି ପ୍ରାତଃ କୃତ୍ୟ            ବୈଦର୍ଭୀ ଇଙ୍ଗିତେ

ସଲଜ୍ଜେ ନିଷଧରାଣ,

ରାଜୋଚିତ ବେଶ-      ଭୂଷଣେ ଭୂଷିତ

ହୋଇ ମଣ୍ଡିଲେ ଭୁବନ ।

 

ରାଜ ଆମନ୍ତ୍ରଣ            ଘେନି ବୃଦ୍ଧ ମନ୍ତ୍ରୀ

ଆସି ଜଣାଏ ଛାମୁରେ

ଶ୍ୱଶୁରଙ୍କ ଇଚ୍ଛା            ଚଳିବେ ଜାମାତା

ବିଧିପୂର୍ବ ଦରବାରେ !

 

ନୃପାଦେଶ ପାଳି            ସଚୀବ ସଙ୍ଗତେ

ତ୍ୱରା କରିଣ ଗମନ

ପ୍ରବେଶିଲେ ଯହିଁ            ବିରାଜନ୍ତି ନୃପ

ପାରିଷଦ ସଙ୍ଗତେଣ ।

 

ପୂର୍ବ ଇତିବୃତ୍ତ            ଭୈମୀ ଅଳୀ ମୁଖୁ

ସଂଗ୍ରହ କରି ରାଜନ

ମହାର୍ହ ଆସନ            ଅତୀବ ଯତନେ

ଥାପିଥିଲେ ସଭା ସ୍ଥାନ ।

 

ବିକ୍ରମ ଗତିକୁ            ଆଚରି ବିକ୍ରମ-

କେଶରୀ ନିଷଧରାଣ

ଶ୍ୱଶୁରେ ଓଳଗି             ବସିଲେ ଆସନେ

ହୋଇ ପୁଲକିତ ମନ ।

 

ଦମୟନ୍ତୀ-ପତି            ପରି ଆଗନ୍ତୁକେ

ସଭାସ୍ଥଳେ ଅଗ୍ରତରେ

ଦେଖିଣ ବିସ୍ମୟେ            ହୋଇଲେ ମଗନ

ସଭାସ୍ଥ ସକଳ ବୀରେ ।

 

ସିଂହାସନୁ ଉଠି            ଭୀମ ନରନାଥ

ବୋଲନ୍ତି ‘‘ସରବେ ଶୁଣ

ଏ ମହାତ୍ମା ମୋର            ଜାମାତା ପ୍ରବର

ଦମୟନ୍ତୀ ପ୍ରାଣଧନ ।

 

ସ୍ୱୟମ୍ବର କାଳେ            ପଞ୍ଚଦେବେ, ନରେ

ବଞ୍ଚି ଜେମାମଣି ମୋର

ୟାଙ୍କ ଗୁଣେ ଧନ୍ୟା      ହୋଇ ଦେଖିଛ ତ

ଅର୍ପିଲା ବରଣମାଳ ।’’

 

ତହୁଁ ଆଦ୍ୟୋପ୍ରାନ୍ତ            ସମସ୍ତ ବୃତ୍ତାନ୍ତ

ବୁଝାଇ ସରବେ ବୀର

ହକାରି ସଚୀବେ            ବଦନ୍ତି ଭୂପତି

ପ୍ରଚାର ଏ ସମାଚାର

 

ନିବର୍ତ୍ତାଅ ମୋର            ପ୍ରିୟ ଅନୁଚରେ,

ରାଜ ଅନ୍ୱେଷଣେ ରତ,

ଏତଦୁପଲକ୍ଷେ            ଯୋଗ୍ୟ ଆୟୋଜନ

କର’’ ନୃପ ହେଲେ କ୍ଷାନ୍ତ ।

 

ବିଧିପୂର୍ବ ତହୁଁ            କଲେ ମାନ୍ୟ ଭୂପେ

ରାଜ ପାରିଷଦବର୍ଗ

ଏକମୁଖେ ସର୍ବେ            ଉଚ୍ଚାରିଲେ ‘‘ଜୟ

ଜୟ ନଳ ମହାଭାଗ ।’’

 

ଶିଶୁପାଳ ମାନ-            ଗୋବିନ୍ଦ ପରାୟ

ଋତୁପର୍ଣ୍ଣ ପାଇ ତ୍ରପା

ହେଲେ ହେଠମୁଖ            କିନ୍ତୁ ବଳତ୍କାରେ

ମୁଖେ ସ୍ଫୁଟେ ହାସ୍ୟ ରେଖା ।

 

ଆଶ୍ରୟଦ ଭାବ            ଦେଖି ନୈଷଧେଶ ।

ଶ୍ୱଶୁର ସହ ମନ୍ତ୍ରଣା

କରି ସମାଦରେ            ବିଦା ଦେଲେ ନୃପେ

ଦେଇ- ବାଜୀ ଗଜ ସେନା ।

 

ବିଦର୍ଭ କଟକେ            ଦମୟନ୍ତୀ ସହ

ସୁଖେ ରହି କିଛିଦିନ

ବିରହ ବେଦନା            ହୃଦରୁ ଲାଘବ

କଲେ ନୃପ ଦିନୁ ଦିନ ।

 

ଏହିମତେ ଚାହୁଁ            ଚାହୁଁ ଏକମାସ

କ୍ରମେ ଆସି ହେଲା ଶେଷ

ସ୍ୱୀୟ ରାଜ୍ୟେ ଯିବା      ପାଇଁ ବ୍ୟଗ୍ର ହେଲେ

ଭୀମ ସୁତା ପ୍ରାଣଈଶ ।

 

ବିଜୟୀ ବୀରେନ୍ଦ୍ର            ନାନା ଅସ୍ତ୍ର ଶସ୍ତ୍ର

ସହ ବିଦର୍ଭବାହିନୀ

ଗମିଲେ ନିଷଧେ            ପଦାଘାତେ କମ୍ପି

ଉଠିଲା ସାରା ମେଦିନୀ ।

 

ପୁଷ୍କର ସହିତ            ବିବାଦ ଇଚ୍ଛିଣ

ନୈଷଧେଶ ବୀରବର

ପେଷିଲେ ବାରତା            ସେନାପତି ହସ୍ତେ

‘‘ନିଷଧରାଜ, ପୁଷ୍କର !

 

ବିସ୍ତାରି ଅପାର            କାପଟ୍ୟସୁତ୍ରକୁ

ଦେଇଛ ଗୁରୁ କଷଣ

ଅଧୁନା ପ୍ରକାଶ            ବୀରଧୂ ପାଶକେ

ନତୁବା କର ସଂଗ୍ରାମ ।’’

 

ଏସନ ଶ୍ରବଣେ            ପୂର୍ବ ଭାବ ସ୍ମରି

ନୃପେ ପାଶକ୍ରୀଡ଼ା ରସେ

ହକାରିଲା ବେଗେ            ପୁଷ୍କର ଅଧମ

ସୁମରି କଳି ମାନସେ ।

 

ଗର୍ବାନ୍ଧ ପୁଷ୍କର            ପ୍ରାଣପଣ କରି

ପ୍ରାଣପଣେ କଲା କ୍ରୀଡ଼ା

ଶେଷେ ପରାଜିତ            ଦେଖି ମାଥେ ହାତ

ମାରେ ତେଜି ମନୁ ବ୍ରୀଡ଼ା ।

 

ପଦାନତ ହୋଇ            ମାଗିଲା ପରାଣ

ଭିକ୍ଷା ରାଜନ ଛାମୁରୁ

ନିଷ୍କପଟ ଜାଣି            ଅନୁଜେ ରାଜନ

କୃପାଣ ତେଜିଲେ କରୁଁ ।

 

ଆଶ୍ୱାସି ପୁଷ୍କରେ            କହିଲେ ‘‘ଆଜହୁଁ

ସ୍ୱଚ୍ଛନ୍ଦେ ନିଜ ଭବନେ

କରି ଅବସ୍ଥାନ            ମଦ୍ଦତ୍ତ ସମ୍ପତ୍ତି

ଭୋଗକର ହୃଷ୍ଟମନେ ।

 

ପରସ୍ପର ସ୍ନେହ            ଆମ୍ଭର ଅକ୍ଷୁର୍ଣ୍ଣ

ରହୁ ବାବୁ ଚିରଦିନ

ଏ ଭାଷ୍କର ବଂଶେ            ନୁହସି ପୁଷ୍କର

ଅଶ୍ୱିନୀକୁମାର ସମ ।’’

 

ଦେବୋପମ ଭ୍ରାତ            ନୈଷଧେଶ ପଦେ

ପ୍ରଣମି କହେ ପୁଷ୍କର

‘‘ଆଶ୍ରିତବତ୍ସଳ !            ଜ୍ୟେଷ୍ଠ ଭ୍ରାତ ମମ,

ବିଜ୍ଞାନୀ ବୀରାବତାର ।

 

ତବ ଯଶୋରାଶି                  ହୋଇ ରାଶି ରାଶି

ପୂରିଛି ଦିଗବିଦିଗେ

ଶତ୍ରୁ ସେନା ନାଶି            ଅଭିନବ ରାଜ୍ୟ

କରିଛ ବାହୁ ପ୍ରଭାବେ ।

 

ମୋ କର୍ମ ଦୋଷରୁ       ସେ ରାଜୀବପଦେ

ହେଲି ସିନା ଅପରାଧୀ

କି ଯଶ ଲଭନ୍ତି            ଏ ଅଧମେ ନୃପ

ପବିତ୍ର ଶ୍ରୀକରେ ବଧି ।

 

ବୈରି ମୁଁ ମୋ ପ୍ରତି      କଲ ନରନାଥ

ଅଧୁନା ଯେ ବ୍ୟବହାର

ଏହି ଯଶୋଗୀତି            ଗାଉଥିବ କ୍ଷିତି

ଯାବତ ଚନ୍ଦ୍ର ଭାସ୍କର ।’’

 

ଅଭିଷେକୋତ୍ସବ            କରି ପୁନଃ ନୃପ

ବିଜେ ରାଜ ସିଂହାସନେ

ବାମେ ଦମୟନ୍ତୀ            ସତୀ ଘେନି କୋଳେ

ଇନ୍ଦ୍ରସେନା ଇନ୍ଦ୍ରସେନେ ।

 

ଆନନ୍ଦେ ବିହ୍ୱଳ            ପରଜା ସକଳ

ବଇରି ଭଜିଲେ ଅସ୍ତ

ରାମରାଜ୍ୟେ କ୍ରମେ      ହେଲା ପରିଣତ

ନିଷଧରାଜ ରାଜତ୍ୱ ।

 

ନାନବିଧ ଯଜ୍ଞ            ଆଚରି ବ୍ରାହ୍ମଣେ

ଦେଲେ ଅଗଣନ ଧନ

ଗ୍ରାମ ଜନପଦ            ଦିଶିଲା ଶ୍ରୀବନ୍ତ

ସର୍ବେ ଆନନ୍ଦେ ମଗନ ।

 

ଏହିମତେ କେତେ            ବର୍ଷ ମହୀପରେ

ଦମୟନ୍ତୀ ସହ ରାଜା

କରିଣ ରାଜତ୍ୱ            ପୁଣ୍ୟ ବ୍ରହ୍ମଲୋକେ

ସାଦରେ ପାଇଲେ ପୂଜା ।

 

ସମାପ୍ତ